ବୈଷ୍ଣୋଦେବୀ ପୀଠ ଦଳାଚକଟା: ଉଚ୍ଚସ୍ତରୀୟ ତଦନ୍ତାଦେଶ; କଟଡ଼ା ଅଭିମୁଖେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିହ୍ନା

ଶ୍ରୀନଗର: ବୈଷ୍ଣୋଦେବୀ ପୀଠ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ଆଦେଶ ଦିଆଯାଇଥିବା କଥା ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି। ଏହାର ନେତୃତ୍ବ ନେବେ ଗୃହ ବିଭାଗର ପ୍ରମୁଖ ସଚିବ। ଜମ୍ମୁ ‘ଏଡିଜିପି’ ଏବଂ ଡିଭିଜିନାଲ୍‌ କମିସନର୍‌ ଏହି ତଦନ୍ତକାରୀ କମିଟର ସଦସ୍ୟ ରହିବେ।

ପରିସ୍ଥିତିର ସମୀକ୍ଷା କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିହ୍ନା ମଧ୍ୟ କଟଡ଼ା ଅଭିମୁଖେ ବାହାରିଛନ୍ତି। ଦଳାଚକଟା ପରେ କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିବା ପରେ ପୁନଶ୍ଚ ବୈଷ୍ଣୋଦେବୀ ପୀଠରେ ଦର୍ଶନ ଆରମ୍ଭ ହୋଇଛି।

ଏହି ଅଘଟଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ଉପରାଜ୍ୟପାଳ ସିହ୍ନା ମଧ୍ୟ ୧୦ ଲକ୍ଷ ଲେଖାଏଁ ଏବଂ ଆହତମାନଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ୧୨ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି।

Image Courtesy of The Economic Times

ମାତା ବୈଷ୍ଣୋଦେବୀ ଭବନରେ ଉତ୍ସୃଙ୍ଖଳ ନ ହୋଇ ଧୀରସ୍ଥିର ହୋଇ ରହିବାକୁ ପୀଠର ମୁଖ୍ୟ ପୁରୋହିତ ପଣ୍ଡିତ ସୁଦର୍ଶନ ଯାତ୍ରୀମାନଙ୍କୁ ନିବେଦନ କରିଛନ୍ତି।

ରାତି ପ୍ରାୟ ୨.୪୫ରେ ଦଳାଚକଟା ଘଟଣା ଘଟିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ମୁଖ୍ୟ ଦିଲ୍‌ବାଗ୍‌ ସିଂହ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ପ୍ରାପ୍ତ ପ୍ରାଥମିକ ରିପୋର୍ଟ ଅନୁସାରେ, ସାମାନ୍ୟ ଯୁକ୍ତିତର୍କକୁ ନେଇ ଲୋକେ ପରସ୍ପରକୁ ଠେଲାପେଲା କରିବା ପରେ ଦଳାଚକଟା ଘଟିଥିଲା।

ତ୍ରିକୂଟ ପର୍ବତ ଚୂଡ଼ାରେ ଥିବା ପୀଠର ଗର୍ଭଗୃହ ବାହାରେ ଥିବା ୩ ନମ୍ବର ଫାଟକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ନବବର୍ଷର ପ୍ରଥମ ଦିନ ଅବସରରେ ମାତାଙ୍କ ଦର୍ଶନ ପାଇଁ ବହୁସଂଖ୍ୟକ ଭକ୍ତ ଏହି ଧର୍ମପୀଠରେ ସମବେତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରିୟାସୀ ଜିଲ୍ଲାରେ ସମୁଦ୍ର ପତ୍ତନ ଠାରୁ ୫,୨୦୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଏହି ଗୁହା ଧର୍ମପୀଠକୁ ପ୍ରତିବର୍ଷ ମୋଟାମୋଟି ଏକ ନିୟୁତ ଦର୍ଶନାର୍ଥୀ ଆସିଥାଆନ୍ତି।

ସମ୍ବନ୍ଧିତ ଖବର