ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ହିତାଧିକାରୀ ଚାଷୀ ପରିବାରକୁ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପିଏମ୍‌-କିଷାନ୍‌ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ମିଳୁଛି। ୩ଟି କିସ୍ତିରେ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟ୍‌ରେ ସିଧାସଳଖ ଜମା କରାଯାଉଛି। କୃଷି ଆଇନକୁ ବିରୋଧ କରି ଚାଷୀମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ୭ ରାଜ୍ୟର କୃଷକମାନଙ୍କ ସହ ଭିଡିଓ କନଫରେନ୍ସିଂ ଦ୍ବାରା କଥା ହୋଇଛନ୍ତି। ଦେଶବ୍ୟାପୀ ୨୫୦୦ ବୈଠକ ଦ୍ବାରା କୃଷକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ କରାଯାଇଥିଲା। ଅନେକ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଜେପି ପଦାଧିକାରୀ ଆଜି ସେମାନଙ୍କ ନିର୍ବାଚନମଣ୍ଡଳୀରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ବିଜେପି ବାଜପେୟୀଙ୍କ ଜୟନ୍ତୀ ଉତ୍ସବକୁ ସୁଶାସନ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ କୃଷକମାନଙ୍କୁ କୃଷକ ସମ୍ମାନ ନିଧି ଯୋଜନା ଅଧୀନରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କରୀ, ପୀୟୂଷ ଗୋୟଲ, ସ୍ମୃତି ଇରାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Advertisment

ମମତା ସରକାରର କାର୍ଯ୍ୟ ଚାଷୀ ବିରୋଧୀ

ଚାଷୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀ ଦଳ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ପୂର୍ବ ସରକାରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଛୋଟ ଚାଷୀ ବରବାଦ ହୋଇଛନ୍ତି ବୋଲି ମୋଦୀ କହିଛନ୍ତି। ସରକାର ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଲୋଚନା ତଥ୍ୟ ଏବଂ ତର୍କ ଆଧାରିତ ହେଲେ ହିଁ ତାହା ଫଳପ୍ରଦ ହୋଇପାରିବ। ତେବେ ବିରୋଧୀ ଦଳ ରାଜନୈତିକ ସ୍ବାର୍ଥ ପାଇଁ ଚାଷୀ ଆନ୍ଦୋଳନ ନାମରେ ଦେଶର ଆର୍ଥିକ କ୍ଷତି ଘଟାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ୭ ରାଜ୍ୟ ଅରୁଣାଚଳପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା ଏବଂ ହରିୟାଣା କୃଷକମାନଙ୍କ ସହ ମୋଦୀ କଥା ହୋଇଛନ୍ତି।

ମୋଦୀ ଆଜି ତାଙ୍କ ଉଦ୍‌ବୋଧନରେ ପଶ୍ଚିମବଂଗ ସରକାରକୁ ସିଧାସଳଖ ଟାର୍ଗେଟ୍‌ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଂଗର ୭୦ ଲକ୍ଷରୁ ଅଧିକ କୃଷକଙ୍କୁ ଏହି ଯୋଜନାରୁ ବଞ୍ଚିତ ରଖାଯିବା ତାଙ୍କୁ ଖୁବ୍‌ ଦୁଃଖ ଦେଇଛି। ପଶ୍ଚିମବଙ୍ଗରେ ୨୩ ଲକ୍ଷରୁ ଅଧିକ କୃଷକ ଏହି ଯୋଜନାରୁ ଉପକୃତ ହେବାପାଇଁ ଅନଲାଇନ୍‌ ଆବେଦନ କରିଥିଲେ। କିନ୍ତୁ ରାଜ୍ୟ ସରକାର ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି। ପଶ୍ଚିମବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ସ୍ବାର୍ଥସର୍ବସ୍ବ ରାଜନୀତି ଏବଂ ବିଚାରଧାରା ପଶ୍ଚିମବଙ୍ଗକୁ ବରବାଦ କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ମତେ ବହୁତ କଷ୍ଟ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟ ବିରୋଧୀ ଦଳ ନେତାମାନେ କାହିଁକି ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ ଦଳମାନେ ପଶ୍ଚିମବଙ୍ଗରେ କୃଷକଙ୍କ ସପକ୍ଷରେ କିଛି କହୁନାହାନ୍ତି ସେମାନେ ଏବେ ଦିଲ୍ଲୀ ଆସି ଚାଷୀ ଆନ୍ଦୋଳନକୁ ନେଇ ରାଜୀନତି କରୁଛନ୍ତି। ବର୍ଷବର୍ଷ ଧରି ଯେଉଁମାନେ କେରଳରେ ଶାସନ କରୁଛନ୍ତି ଏବେ ସେମାନେ ସେଲ୍‌ଫି ନେବାପାଇଁ ପଂଜାବ କୃଷକଙ୍କ ସହ ଯୋଗ ଦେଇଛନ୍ତି। କିନ୍ତୁ ସେମାନଙ୍କ ନିଜ ରାଜ୍ୟରେ ମଣ୍ଡି ବ୍ୟବସ୍ଥାରେ ଉନ୍ନତି ପାଇଁ କାହିଁକି କିଛି କରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଆଜି କୃଷକମାନେ ସେମାନଙ୍କ ଘର ଏବଂ ଶୌଚାଳୟ ନିର୍ମାଣ କରିପାରୁଛନ୍ତି। ସ୍ବଚ୍ଛ ପାନୀୟ ଜଳ ମଧ୍ୟ ସୁବିଧାରେ ପାଇ ପାରୁଛନ୍ତି। କୃଷକଙ୍କ ଖୁସିରେ ହିଁ ମୋର ଖୁସି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।