ଓଡ଼ିଶା ନଦୀରେ ବି ବିସର୍ଜନ ହେବ ବାଜପେୟୀଙ୍କ ଅସ୍ଥି

ନୂଆଦିଲ୍ଲୀ : ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ। ଏ ନେଇ ଆଜି ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅସ୍ଥି କଳସକୁ ଦିଲ୍ଲୀରୁ ଓଡ଼ିଶା ବିଜେପି ନେତାମାନେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ଗ୍ରହଣ କରିବେ। ଏହାକୁ ନେଇ ନେତାମାନେ ଭୁବନେଶ୍ୱରରେ ପହଞ୍ଚିଲା ପରେ ଦଳୀୟ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ଏହା ପରେ ମହାନଦୀ, ବୈତରଣୀ, ଋଷିକୁଲ୍ୟା ଓ ବ୍ରାହ୍ମଣୀ ପରି ପ୍ରମୁଖ ନଦୀଗୁଡ଼ିକରେ ପର୍ଯ୍ୟାୟକ୍ରମେ ବିସର୍ଜନ କରାଯିବ। ଏହି ସମୟରେ ଜିଲ୍ଲା ଓ ପଞ୍ଚାୟତରେ ଶ୍ରଦ୍ଧାଞ୍ଜଳି ଓ ପ୍ରାର୍ଥନା ସଭା ଆୟୋଜନ କରାଯିବ। ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିପାରି ନ ଥିବା ଲୋକମାନେ ବିଭିନ୍ନ ରାଜ୍ୟରେ ତାଙ୍କ ଅସ୍ଥି କଳସ ପହଞ୍ଚିଲା ପରେ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ବିଜେପି ନେତାମାନେ ମତ ଦେଇଛନ୍ତି।

ଆଜି ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ସ୍ୱର୍ଗତ ବାଜପେୟୀ ଅସ୍ଥି ଅଣାଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ହରିଦ୍ୱାରରେ ବିଜେପି ସଭାପତି ଅମିତ ଶାହ ଅସ୍ଥି ବିସର୍ଜନ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ଅସ୍ଥି ଅଣାଯାଇପାରି ନ ଥିଲା। ତେବେ ଶ୍ରୀ ଓରାମଙ୍କ ବାସଭବନରେ ସ୍ୱର୍ଗତ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର