ଉଦ୍ଧତ ଚୀନ୍‌କୁ ବାଜପେୟୀଙ୍କ ନିଆରା ପ୍ରତିବାଦ, ଦୂତାବାସକୁ ୮୦୦ ମେଣ୍ଢା ଛାଡ଼ିଥିଲେ

ମେଣ୍ଢାଙ୍କ ବେକରେ ବନ୍ଧାଥିଲା ‘ମୋତେ ଖାଅ ପଛେ ପୃଥିବୀକୁ ବଞ୍ଚାଅ’ ପ୍ରଚାରପତ୍ର

ନୂଆଦିଲ୍ଲୀ: କାଳେ କାଳେ ଖଳ ପ୍ରକୃତିରେ ବୁଡ଼ି ରହିଥିବା ଚୀନ୍‌ର ମୁଖା ଖୋଲିବା ସାରା ବିଶ୍ବ ସମୁଦାୟ ପାଇଁ ଏକ ଆହ୍ବାନ ହୋଇ ରହି ଆସିଛି। ବିଶ୍ବବାସୀଙ୍କୁ ଚକିତ କରିବାରେ ଚୀନ୍ କେବେ ବି ଅବହେଲା କରିନି। ବିଶେଷ କରି ନିଜ ବୈଦେଶିକ ନୀତି ହେଉ ବା ଆଭ୍ୟନ୍ତରୀଣ ନିଷ୍ପତ୍ତି ହେଉ, ଭାରତକୁ ଧୋକା ଦେବାଟା ଚୀନ୍‌ର ଏକ ସହଜାତ ପ୍ରବୃତ୍ତି ହୋଇଛି। ତେବେ ଏ ପରିପ୍ରେକ୍ଷୀରେ ୧୯୬୫ ମସିହାରେ ତତ୍କାଳୀନ ଭାରତୀୟ ଯୁବ ସାଂସଦ ଅଟଳ ବିହାରୀ ବାଜପେୟୀ ଚୀନ୍‌ର କ୍ରୂର ବୁଦ୍ଧିର ଯେପରି ଅଭିନବ ପ୍ରତିବାଦ କରିଥିଲେ ତାହା ହିଁ ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ବାଜପେୟୀଙ୍କ ଅପୂର୍ବ ରାଜନୈତିକ ଉତ୍କର୍ଷର ଅଂଶସ୍ବରୂପ ନୂଆଦିଲ୍ଲୀରେ ୮୦୦ ମେଣ୍ଢା ଏକ ଶୋଭାଯାତ୍ରାରେ ଚୀନ୍ ଦୂତାବାସରେ ପ୍ରବେଶ କରିବା ଘଟଣା ଚୀନ୍ କର୍ତ୍ତୃପକ୍ଷଙ୍କୁ ସେତେବେଳେ ବିଚଳିତ କରିଦେଇଥିଲା।

୧୯୬୨ ଯୁଦ୍ଧରେ ଭାରତର ଶୋଚନୀୟ ପରାଜୟ ପରେ ଦୁର୍ବଳ ଭାରତ ଉପରେ ବାରମ୍ବାର ଦାଉ ସାଧିବା ପାଇଁ ଚେଷ୍ଟା ଚଳାଇଥିବା ଚୀନ୍‌ ସେନା ୧୯୬୫ ମସିହାରେ ସିକିମ୍ ସୀମା ଭିତରକୁ ପଶି ଆସି ବ୍ୟାପକ ଅଞ୍ଚଳ ଦଖଲ କରିବାକୁ ଆଗଭର ହୋଇଥିଲା। ମାତ୍ର ଏଥରର ଭାରତୀୟ ସେନାବାହିନୀର ଶାଣିତ ପ୍ରସ୍ତୁତି ଚୀନ୍‌ର ଅଭିପ୍ରାୟକୁ ଚୂର୍‌ମାର କରିଦେଇଥିଲା। ତେବେ ଏଥିରେ ନିଜର କ୍ଷୟକ୍ଷତି ସମ୍ପର୍କରେ ଚୀନ୍ କର୍ତ୍ତୃପକ୍ଷ ଭାରତ ସରକାରଙ୍କୁ ଏକ ହାସ୍ୟାସ୍ପଦ ତାଲିକା ଦେଇଥିଲେ। ସେଥିରେ ଭାରତୀୟ ସୈନିକମାନେ କୁଆଡ଼େ ଚୀନ୍‌ର ୮୦୦ ମେଣ୍ଢା ଓ ୫୯ଟି ଚମରୀ ଗାଈ ଚୋରାଇ ନେଇଥିବା କଥା ଉଲ୍ଲେଖ ରହିଥିଲା। ଭାରତ ସରକାର ସ୍ବାଭାବିକ ଭାବେ ଏପରି ବାଚାଳ ଅଭିଯୋଗର ଖଣ୍ଡନ କରିଥିବା ବେଳେ ଏ ଦିଗରେ ଜନସଂଘ ଦଳର ତତ୍କାଳୀନ ଯୁବନେତା ୪୨ ବର୍ଷୀୟ ବାଜପେୟୀଙ୍କ ନିଆରା ପ୍ରତିବାଦ ଚୀନ୍‌ର ଧୁଆଁ ବାହାର କରିଦେଇଥିଲା। ସେହିବର୍ଷ ସେପ୍ଟେମ୍ବର ଶେଷ ବେଳକୁ ବାଜପେୟୀ ଦିଲ୍ଲୀରେ ୮୦୦ ମେଣ୍ଢା ଯୋଗାଡ଼ କରି ଏକ ଶୋଭାଯାତ୍ରାରେ ଚୀନ୍‌ ଦୂତାବାସ ଅଭିମୁଖେ ପଠାଇଥିଲେ। ମେଣ୍ଢାଙ୍କ ବେକରେ ‘ମୋତେ ଖାଇ ପଛେ ପୃଥିବୀକୁ ବଞ୍ଚାଅ’ ପରି ପ୍ରଚାରପତ୍ର ବନ୍ଧାଯାଇଥିଲା। ଏପରି ବିରଳ ପ୍ରତିବାଦରେ ଚୀନ୍ କର୍ତ୍ତୃପକ୍ଷ ପ୍ରତିକ୍ରିୟା ସ୍ବରୂପ ତୁରନ୍ତ ତତ୍କାଳୀନ ଲାଲ୍‌ବାହାଦୂର ଶାସ୍ତ୍ରୀ ସରକାରଙ୍କୁ ପୁଣି ଏକ ଚିଠି ଲେଖି ପ୍ରତିବାଦ ଜଣାଇଥିଲେ। ଏହା ତାଙ୍କ ଦେଶ ପ୍ରତି ଘୋର ଅପମାନ ଏବଂ ସରକାରଙ୍କ ପରୋକ୍ଷ ସମର୍ଥନରେ ଏପରି କରାଯାଇଛି ବୋଲି ଚୀନ୍‌ ଅଭିଯୋଗ ଆଣିଥିଲା। ଅପରପକ୍ଷେ, ଏହାର ଜବାବ ରଖି ଏଥିରେ ସରକାରଙ୍କର କିଛି କରିବାର ନାହିଁ ଏବଂ ଏହା ଚୀନ୍‌ର ଯୁଦ୍ଧ ଧମକ ବିରୋଧରେ ଦିଲ୍ଲୀବାସୀଙ୍କ ସ୍ବତଃସ୍ଫୂର୍ତ୍ତ ପ୍ରତିକ୍ରିୟା ବୋଲି ଭାରତ ସରକାର ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର