ଡ୍ରାଇଭିଂ ଲାଇସେନ୍ସ ସମେତ ମୋଟରଯାନ ଦସ୍ତାବିଜର ବୈଧତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ସମେତ ସମସ୍ତ ପ୍ରକାର ମୋଟର ଯାନ ଦସ୍ତାବିଜର ବୈଧତାକୁ କେନ୍ଦ୍ର ସରକାର ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପୁଣିଥରେ ବୃଦ୍ଧି କରିଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ। ଏ ସଂକ୍ରାନ୍ତରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ମାର୍ଗଦର୍ଶିକା ଜାରି କରାଯାଇଛି।
ଏଥିପୂର୍ବରୁ ୩୧ ମେ ୨୦୨୦ ପର୍ଯ୍ୟନ୍ତ ସମସ୍ତ ଗାଡ଼ି କାଗଜପତ୍ର ଯେପରିକି ଫିଟନେସ, ପରମିଟ (ସମସ୍ତ ପ୍ରକାର), ଡ୍ରାଇଭିଂ ଲାଇସେନ୍‌ସ, ରେଜିଷ୍ଟ୍ରେସନ ଆଦିର ବୈଧତାକୁ ସମ୍ପ୍ରସାରିତ କରାଯାଇଥିଲା। ପରେ ଏସବୁ କାଗଜପତ୍ରର ବୈଧତା ଅବଧି ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ କର୍ତ୍ତୃପକ୍ଷଙ୍କୁ ସୂଚୀତ କରାଯାଇଥଲା। ଫେବ୍ରୁଆରି ପହିଲା, ୨୦୨୦ ପରଠାରୁ କିମ୍ବା ୩୧ ମେ ୨୦୨୦ ପର୍ଯ୍ୟନ୍ତ ବୈଧତା ସମାପ୍ତି ହେଉଥିବା ସମସ୍ତ ଗାଡ଼ି ଦସ୍ତାବିଜର ନବୀକରଣ ଲକଡାଉନ କାରଣରୁ ହୋଇପାରି ନଥିଲେ ସେଗୁଡ଼ିକୁ ଅବଧି ବୃଦ୍ଧି ସୁବିଧା ପ୍ରଦାନ କରାଯାଇଥିଲା।

News India

ତେବେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଆଉଥରେ ସମସ୍ତ ଗାଡ଼ି କାଗଜପତ୍ରର ବୈଧତା ଅବଧିକୁ ପୁଣିଥରେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇବା ଲାଗି ମନ୍ତ୍ରୀ ଶ୍ରୀ ଗଡ଼କରୀ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏସବୁ କାଗଜପତ୍ରର ବୈଧତା ଅବଧି ଅଛି ବୋଲି ବିବେଚନା କରାଯିବ।
ଏହାଛଡ଼ା କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ର ନିୟମ ୩୨ କିମ୍ବା ନିୟମ ୮୧ ଅନୁଯାୟୀ ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଶୁଳ୍କ ବୈଧତା ଏବଂ ଅତିରିକ୍ତ ଶୁଳ୍କ ଲାଗୁ କରିବା କ୍ଷେତ୍ରରେ ରିହାତି ଦେବା ଲାଗି ମନ୍ତ୍ରାଳୟ ପକ୍ଷରୁ ୨୧ ମେ, ୨୦୨୦ରେ ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି।
କୋଭିଡ-୧୯ ନିରାକରଣ ସ୍ଥିତିକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ସୁବିଧା ଦେବା ସକାଶେ ଏହି ନିଷ୍ପତ୍ତି ନିଆଯାଇଛି। କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋଟର ଯାନ ଆଇନ ୧୯୮୮ କିମ୍ବା ସେପରି କିଛି ବିଧିବ୍ୟବସ୍ଥା ଅନ୍ତର୍ଗତ ପରମିଟ, ଶୁଳ୍କ, ନବୀକରଣ ଟିକସ, ପରମିଟ ପାଇଁ ଜୋରିମାନା ଆଦି କ୍ଷେତ୍ରରେ ରିହାତି ଯୋଗାଇ ଦେବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର