ହୋଇପାରିଲାନି ବଂଶଧାରା ମାମଲାର ଶୁଣାଣି

୧୦ରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଶେଷ ହେବ, ବ‌‌‌‌ର୍ଷେ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ : ବଂଶାଧାରା ଜଳବିବାଦ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ଜଳବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି କରିଥା’ନ୍ତେ। ଏଥିପାଇଁ ୩ ଓ ୪ ତାରିଖକୁ ସମୟ ଧାର୍ଯ୍ୟ ହୋଇଥିଲା। ବଂଶଧାରା ନଦୀ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ମିଳିତ ଅନୁଧ୍ୟାନ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଏ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ଦୁଇ ଦିନ ଧାର୍ଯ୍ୟ କରିଥିଲେ। ମାତ୍ର, ଶେଷ ମୁହୂର୍ତ୍ତରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଓକିଲ ନିଯୁକ୍ତ ହୋଇଥିବାରୁ ଏହି ପ୍ରସଙ୍ଗରେ ସେ ଅବଗତ ହେବା ପାଇଁ ସମୟ ଲୋଡ଼ିଛନ୍ତି। ସେଇଥିପାଇଁ ଶୁଣାଣିକୁ ସ୍ଥଗିତ ରଖାଯାଇଥିବାବେଳେ ଟ୍ରିବ୍ୟୁନାଲ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିନାହାନ୍ତି।

ଅନ୍ୟପକ୍ଷରେ, ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ କାର୍ଯ୍ୟକାଳକୁ ବର୍ଷେ ବୃଦ୍ଧି କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଯୋଜନା କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଚଳିତ ମାସ ୧୦ରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଶେଷ ହେବ। ୨୦୧୦ ମସିହା ଫେବ୍ରୁଆରି ୧୪ ତାରିଖରେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଏବେ ବି ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଏହି ମାମଲା ବିଚାରାଧୀନ ରହିଛି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ବଂଶଧାରା ଟ୍ରିବ୍ୟୁନାଲ ପାଇଁ ୩ରୁ ୧୬ କୋଟି ଟଙ୍କା ବ୍ୟୟ କରିସାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର