ନୂଆଦିଲ୍ଲୀ: ବଂଶଧାରା ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ୨୯ ପୃଷ୍ଠାର ଲିଖିତ ନିବେଦନ (ସବ୍‌ମିସନ୍‌) ଦାଖଲ କରାଯାଇଛି। ବଂଶଧାରା ଟ୍ରିବ୍ୟୁନାଲ ରାୟ ବିରୋଧରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି)ଗୁଡ଼ିକୁ ଖାରଜ କରିବା ସହିତ ଆନ୍ଧ୍ରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଏଥିରେ କୁହାଯାଇଛି। ନିବେଦନରେ ଉଲ୍ଲେଖ କରାଯାଇଛି, ନେରେଡ଼ି ବ୍ୟାରେଜ ହେଲେ ଏହା ଓଡ଼ିଶାବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ସମସ୍ତ ରେକର୍ଡକୁ ବିଚାରକୁ ନେଇ ଏହା ରାୟରେ ସ୍ପଷ୍ଟ କରିଛନ୍ତି।

Advertisment

ବଂଶଧାରା ଜଳ ଅଧିକାର ଉପରେ ମଧ୍ୟ ଓଡିଶାର ସ୍ବାର୍ଥ ପ୍ରଭାବିତ ହେବ ନାହିଁ। ଟ୍ରିବ୍ୟୁନାଲଙ୍କ ଦ୍ବାରା ସେଡିମେଣ୍ଟେସନ୍‌ (ଅବତରଣ) ଓ ଫେରନ୍ତା ଜଳର ପ୍ରଭାବ ପ୍ରସଙ୍ଗ ଉପରେ ସଂପୂର୍ଣ୍ଣ ରୂପେ ଶୁଣାଣି କରାଯାଇଛି। ତେଣୁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିଗୁଡ଼ିକୁ ଖାରଜ କରାଯାଉ ବୋଲି ଆନ୍ଧ୍ର ନିବେଦନରେ ଉଲ୍ଲେଖ କହିଛି। ଅନ୍ୟ ପକ୍ଷରେ ବଂଶଧାର ଜଳ ବିବାଦ ମାମଲାରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ତିନିଟି ଏସ୍‌ଏଲ୍‌ପିର ଚୂଡ଼ାନ୍ତ ଶୁଣାଣି ଆସନ୍ତା ବର୍ଷ ଜାନୁଆରି ୨୫ରେ ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।