ଉଦୟପୁର: ଗୁଗଲ୍ ମ୍ୟାପ୍ର ଅନୁସରଣ କରି ୯ ଜଣଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍ ରାଜସ୍ଥାନର ବନାସ ନଦୀରେ ଭାସିଯିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ୫ ଜଣ ସଦସ୍ୟ ଭ୍ୟାନ୍ ଉପରକୁ ଚଢ଼ି ନିଜକୁ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଅନ୍ୟ ୪ ଜଣ ନଦୀରେ ବୁଡ଼ି ଯାଇଥିଲେ। ଗୁଗୁଲ୍ ମ୍ୟାପ୍ର ନିର୍ଦେଶକୁ ଅନୁସରଣ କରି ଭ୍ୟାନ୍ଟି ଗତ ୩ ବର୍ଷ ଧରି ବନ୍ଦ ଥିବା ସୋମ୍ପି-ଉପେର୍ଡା ବ୍ରିଜ୍ ଉପରେ ପହଞ୍ଚିଥିଲା। ନଦୀର ପ୍ରବଳ ସ୍ରୋତ ଯୋଗୁଁ ଭ୍ୟାନ୍ଟି ପୋଲ ଉପରୁ ଭାସି ଯାଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଚିତୋରଗଡ଼ର କାନଖେଡ଼ା ଗାଁରେ ରହୁଥିବା ଏହି ପରିବାର ରାତି ପ୍ରାୟ ୧ଟା ବେଳେ ଭିଲଵାଡାର ସୱାଇ ଭୋଜ ମନ୍ଦିରରୁ ଫେରୁଥିବା ବେଳେ ରାସ୍ତା ଭୁଲିଯାଇଥିଲେ। ଗୁଗଲ୍ ମ୍ୟାପ୍ ସେମାନଙ୍କୁ ବନ୍ଦ ପୋଲ ଆଡ଼କୁ ପଠାଇଥିଲା। ସେପଟେ ମାତୃକୁଣ୍ଡିଆ ଡ୍ୟାମ୍ର ଗେଟ୍ ଖୋଲାଯାଇଥିବାରୁ ଖୁବ୍ ଜୋରରେ ପାଣି ପ୍ରବାହିତ ହେଉଥିଲା। ପୋଲ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ଭ୍ୟାନ୍ଟି ପ୍ରବଳ ସ୍ରୋତରେ ଭାସିଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩ ଜଣ ମହିଳା ଓ ଜଣେ ୪ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ବାଳିକା ଏବେ ବି ନିଖୋଜ ଅଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଗଲ୍ ମ୍ୟାପ୍ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳତାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଜଣେ ବିଶେଷଜ୍ଞ କହିଛନ୍ତି, ଗୁଗଲ୍ ମ୍ୟାପ୍ ଉପରେ ଆଖି ବୁଜି ବିଶ୍ୱାସ କରିବା ନିରାପଦ ନୁହେଁ। ସେମାନେ ବୁଝାଇଛନ୍ତି ଯେ, ଯଦି ନୂଆ ରାସ୍ତା ଅପଡେଟ୍ କରା ନ ଯାଏ କିମ୍ବା ପ୍ରବଳ ବର୍ଷା, ଝଡ଼ କିମ୍ବା ବନ୍ୟା କାରଣରୁ ମାର୍ଗ ବନ୍ଦ ହୋଇଯାଏ ତେବେ ମାନଚିତ୍ର ବେଳେବେଳେ ଭୁଲ ମାର୍ଗ ଦେଖାଇପାରେ।