ଜୟପୁର: ରାଜସ୍ଥାନର ଚିତ୍ତୋଡଗଡ଼ ଅଞ୍ଚଳରେ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏଥିପାଇଁ ସେମାନେ ରେଳ ଧାରଣା ଉପରେ ପଥର ପକାଇ ସେଠାରେ ଦୁଇଟି ମୋଟା ରଡ୍ ପୋତି ଦେଇଥିଲେ। କିନ୍ତୁ ଲୋକୋ ପାଇଲଟ ଏସବୁ ଠିକ୍ ସମୟରେ ଦେଖି ଟ୍ରେନକୁ ଅଟକାଇ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲେ। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ପଥର ଓ ରଡ୍ ବାହାର କରିଥିଲା। ରେଳବାଇ ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତ୍ତୋଡଗଡ଼ ଗସ୍ତରେ ଥିବା ବେଳେ ଏହି ଘଟଣା ସୁରକ୍ଷା ଏଜେନ୍ସିମାନଙ୍କୁ ଚିନ୍ତାରେ ପକାଇଦେଇଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ୯ଟା ୫୫ମିନିଟରେ ଏହି ଘଟଣା ଘଟିଛି। ସେହି ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦୟପୁରରୁ ଜୟପୁର ଅଭିମୁଖେ ଯାଉଥିଲା। ଗଙ୍ଗରର ସୋନିଆନା ଅଞ୍ଚଳରେ ଅସାମାଜିକ ତତ୍ତ୍ୱମାନେ ଏହି ଘଟଣା ଘଟାଇବାକୁ ଯୋଜନା କରୁଥିଲେ। ସେଠାରେ ସେମାନେ ଟ୍ରାକ୍ ଉପରେ ପଥର ରଖିଥିଲେ। ସେହିପରି ରେଳ ଧାରଣାରେ ଲାଗିଥିବା ଟେକନିକାଲ ଲକ୍ ନିକଟରେ ଦୁଇଟି ଲୁହା ଛଡ଼ ପୋତା ଯାଇଥିଲା। ଯଦି ଟ୍ରେନ୍ ସେହି ଧାରଣା ଦେଇ ଯାଇଥାନ୍ତା ତେବେ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା। ଏଣୁ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏତେବେଡ଼ ଦୁର୍ଘଟଣା ଟଳିଯାଇଛି ।