ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଆରମ୍ଭ ହେବାକୁ ଯାଉଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ସହରକୁ ସହର ଯୋଡିବା ସହ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଖୁବ କମ ସମୟରେ ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଏବେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି | ଦେଶର ଏହି ସେମି ହାଇସ୍ପିଡ଼ ଟ୍ରେନ ପାଇଁ ଯାତ୍ରୀଙ୍କ ଆଗ୍ରହ ବହୁମାତ୍ରାରେ ବଢ଼ୁଥିବାରୁ ଏବେ ପର୍ଯ୍ୟାୟ କ୍ରମେ ଏହି ଟ୍ରେନର ଶୁଭାରମ୍ଭ କରାଯାଉଛି | ତେବେ ଭାରତୀୟ ରେଳବାଇର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଚଳାଚଳ କରିବ | ବର୍ତ୍ତମାନ ଅନେକ ଟ୍ରେନ୍ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଚାଲୁଥିଲେ ବି ଏହାର ଯାତ୍ରା ଅବଧି ବହୁତ ଅଧିକ ରହୁଛି | ତେଣୁ ଧାର୍ମିକ ପର୍ଯ୍ୟଟନ ଉପରେ ଧ୍ୟାନ ଦେଇ ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦିଲ୍ଲୀରୁ ଡେରାଡୁନ୍ ପର୍ଯ୍ୟନ୍ତ ଆରମ୍ଭ ହେବ |

ଏହି ଟ୍ରେନ ଦ୍ୱାରା ସର୍ବାଧିକ ଯାତ୍ରା ସମୟ ୫ ଘଣ୍ଟା ହେବାକୁ ଥିବାବେଳେ ଉତ୍ତରାଖଣ୍ଡର ପର୍ଯ୍ୟଟନ ସ୍ଥଳୀ ହରିଦ୍ୱାରରେ ପହଞ୍ଚିବା ସହଜ ହୋଇଯିବ | ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ମାସରୁ ଦିଲ୍ଲୀ ଡେରାଡୁନ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଆରମ୍ଭ ହୋଇପାରେ, ଯାହା ପ୍ରାୟ ୩୧୫ କିଲୋମିଟର ଦୂରତା ଅତିକ୍ରମ କରିବ | ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ରାଜଧାନୀ ଦିଲ୍ଲୀ ତଥା ଉତ୍ତରାଖଣ୍ଡ ପର୍ଯ୍ୟଟନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଡେରାଡୁନ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ସକାଳେ ଡେରାଡୁନଠାରୁ ଯାତ୍ରା ଆରମ୍ଭ କରି ମଧ୍ୟାହ୍ନରେ ଦିଲ୍ଲୀରେ ପହଞ୍ଚିବ | ସେହିପରି ସନ୍ଧ୍ୟା ୫ଟାରୁ ଦିଲ୍ଲୀରୁ ବାହାରି ରାତି ୧୦ଟାରେ ଡେରାଡୁନରେ ପହଞ୍ଚିବ |

ସମ୍ବନ୍ଧିତ ଖବର