ପ୍ରଥମେ ମଇଁଷି ଏବେ ଗାଈ: ଦେଶୀ ବୁଲେଟ ଟ୍ରେନ ପାଇଁ ଅଡୁଆ ସାଜୁଛନ୍ତି ଗୋରୁ

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଦେଶୀ ବୁଲେଟ୍ ଟ୍ରେନ୍ ବନ୍ଦେ ଭାରତ ସହିତ ଦୁର୍ଘଟଣା ଘଟିଛି। ଶୁକ୍ରବାର ଦିନ ଗୁଜୁରାଟରେ ଲଗାତାର ଦ୍ୱିତୀୟ ଥର ପାଇଁ ଗାଈଟିଏ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା | ଆଉ ଏଥିରେ ଟ୍ରେନର ଆଗ ଭାଗ ପୁନର୍ବାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି | ଗାନ୍ଧିନଗରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ କଞ୍ଜରୀ ଏବଂ ଆନନ୍ଦ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ଦିନ ପୂର୍ବରୁ ବାତବା ଏବଂ ମଣିନଗର ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ୩-୪ଟି ମଇଁଷି ଚାଲିଆସିଥିଲେ। ଏହା ଦ୍ବାରା ଟ୍ରେନର ସାମ୍ନା ଭାଗ ଭାଙ୍ଗିଯାଇଥିଲା। ମରାମତି ପରେ ଆଜି ଟ୍ରେନଟି ପୁଣି ଯାତ୍ରା ଆରମ୍ଭ କରିଥିଲା | କିନ୍ତୁ ଗୁଜୁରାଟର ଆନନ୍ଦ ଷ୍ଟେସନ ନିକଟରେ ଟ୍ରେନଟି ଏକ ଗାଈ ସହିତ ମୁହାଁମୁହିଁ ହେବାରୁ ଟ୍ରେନର ସମ୍ମୁଖ ଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ମୁମ୍ବାଇଠାରୁ ୪୩୨ କିଲୋମିଟର ଦୂରରେ ଆନନ୍ଦରେ ଅପରାହ୍ନ ୩.୪୮ ରେ ଏହି ଦୁର୍ଘଟଣା ଘଟିଛି।

ଏନେଇ ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁମିତ ଠାକୁର କହିଛନ୍ତି ଯେ, ଟ୍ରେନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷୟକ୍ଷତି ହୋଇଛି। ସେହିପରି ବାତବା ଏବଂ ମଣିନଗର ଷ୍ଟେସନ ମଧ୍ୟରେ ହୋଇଥିବା ଦୁର୍ଘଟଣାକୁ ନେଇ ଅଜ୍ଞାତ ମାଲିକଙ୍କ ବିରୋଧରେ ଆରପିଏଫ୍ ଏକ ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ତେବେ ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଟ୍ରାକରେ ଗୋରୁ ସହ ମୁହାଁମୁହିଁ ହେବା ଅନିବାର୍ଯ୍ୟ ଏବଂ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଡିଜାଇନ୍ କରିବାବେଳେ ଏହାକୁ ଧ୍ୟାନରେ ରଖାଯାଇଥିଲା। ରେଳ ମନ୍ତ୍ରୀ କହିଛନ୍ତି ଯେ ଟ୍ରେନକୁ ଏପରି ଡିଜାଇନ୍ କରାଯାଇଛି ଏବଂ ଏହା ଏତେ ଶକ୍ତିଶାଳୀ ଯେ ଯଦି କୌଣସି ଦୁର୍ଘଟଣା ଘଟିବ, ତେବେ ଟ୍ରେନର କିଛି ହେବ ନାହିଁ | ସାମ୍ନାରେ ଥିବା ନାକକୁ ସଂପୂର୍ଣ୍ଣ ବଦଳାଯାଇପାରିବ | ଦୁର୍ଘଟଣା ପରେ ଟ୍ରେନ୍ ମୁମ୍ବାଇରେ ପହଞ୍ଚିବା ମାତ୍ରେ ଏହାକୁ ବଦଳା ଯାଇଥିଲା। ଯେପର୍ଯ୍ୟନ୍ତ ଆମେ ରେଳ ଧାରଣାକୁ ଉଚ୍ଚ କରିବାନାହିଁ, ସେପର୍ଯ୍ୟନ୍ତ ଗୋରୁ ଟ୍ରେନ୍ ଆଗକୁ ଆସିବେ |

ସମ୍ବନ୍ଧିତ ଖବର