ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଜମ୍ମୁ କଶ୍ମୀର ଭାଇ ଭଉଣୀଙ୍କ ପାଇଁ ନବରାତ୍ରୀ ଉପହାର: ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ତଥା ଟ୍ରେନ୍‌ ୧୮ର ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀ-କଟ୍‌ରା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ ଆସନ୍ତା ଅକ୍ଟୋବର ୫ ତାରିଖରୁ ସର୍ବସାଧାରଣଙ୍କ ଉପଲକ୍ଷେ ନିୟମିତ ଯାତ୍ରା ଆରମ୍ଭ କରିବ। ଆଇଆରସିଟିସି ୱେବସାଇଟ୍‌ରେ ଏହି ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଗଲାଣି। ଟ୍ରେନ୍‌ ଦିଲ୍ଲୀରୁ କଟରା ମଧ୍ୟରେ ଯାତ୍ରା କରିବ ଏବଂ ଏହି ଟ୍ରେନ୍‌ ଦ୍ବାରା ଦିଲ୍ଲୀରୁ କଟରାକୁ ଯାତ୍ରା ସମୟ ୧୨ ଘଣ୍ଟାରୁ ୮ ଘଣ୍ଟାକୁ କମିଯିବ। ଏହାଦ୍ବାରା ତୀର୍ଥଯାତ୍ରୀଙ୍କ ପାଇଁ ମା ବୈ‌‌ଷ୍ଣୋ ଦେବୀ ମନ୍ଦିରକୁ ଯାତ୍ରା ଅଧିକ ସହଜ ହୋଇପାରିବ। ଟ୍ରେନ୍‌ ଉଦ୍‌ଘାଟନ ପରେ ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଜମ୍ମୁ କଶ୍ମୀର ଭାଇ ଭଉଣୀ ଏବଂ ବୈଷ୍ଣୋ ଦେବୀଙ୍କ ପାଖକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ନବରାତ୍ରୀ ଉପହାର । ଏହି ଟ୍ରେନ୍‌ ଜମ୍ମୁ କଶ୍ମୀରରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।

ବ‌ନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶାହ କହିଛନ୍ତି, ଜମ୍ମୁ କଶ୍ମୀରର ବିକାଶ ପାଇଁ ଏବଂ ଧାର୍ମିକ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଏକ ଶ୍ରେଷ୍ଠ ଉପହାର। ଏହି ଅବସରରେ ଶାହ ଧାରା ୩୭୦ ପ୍ରସଙ୍ଗ ଉଠାଇ କହିଛନ୍ତି, କଶ୍ମୀରର ବିକାଶ ଦିଗରେ ଧାରା ୩୭୦ ସବୁଠୁ ବଡ଼ ବାଧକ ସାଜିଥିଲା। ତେବେ ଆସନ୍ତା ୧୦ ବର୍ଷ ମଧ୍ୟରେ ଜମ୍ମୁ କଶ୍ମୀର ସବୁଠୁ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ଶାହ ଦାବି କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦ୍‌ଘାଟନ ସହ ଏହି ପ୍ରକ୍ରିୟା ଆରମ୍ଭ ହେଲା ବୋଲି ଶାହ କହିଛନ୍ତି। । ଆଜି ବନ୍ଦେ ଭାରତ ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ଉଦ୍‌ଘାଟନ ସମୟରେ ଶାହଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହା ଦ୍ବିତୀୟ ବ‌ନ୍ଦେ ଭାରତ ଏକ୍ସପ୍ରେସ । ପ୍ରଥମ ବନ୍ଦେ ଭାରତ ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ଏବେ ଦିଲ୍ଲୀ ଏବଂ ବାରଣାସୀ ମଧ୍ୟରେ ଯାତ୍ରା କରୁଛି।

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ କେବଳ ମଙ୍ଗଳବାର ଛାଡ଼ିଦେଲେ ସପ୍ତାହର ଅନ୍ୟ ସବୁ ଦିନ ଦିଲ୍ଲୀରୁ କଟରାକୁ ଏବଂ କଟରାରୁ ଦିଲ୍ଲୀକୁ ଯାତ୍ରା କରିବ। ଦିଲ୍ଲୀ ରେଳ ଷ୍ଟେସନ୍‌ରୁ ସକାଳ ୬ଟାରେ ଟ୍ରେନ୍‌ ଛାଡ଼ିବ ଏବଂ କଟରାରେ ଦିନ ୨ଟାରେ ପହଞ୍ଚିବ। ସେହିଦିନ ହିଁ ଟ୍ରେନ୍‌ ପୁଣିଥ‌ରେ ଦିଲ୍ଲୀ ଫେରିବ। ନୂଆଦିଲ୍ଲୀରୁ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରାକୁ ଯାତ୍ରା କରିବାପାଇଁ ଅତି କମ୍‌ରେ ୧୬,୩୦ ଏବଂ ଅତି ବେଶୀରେ ୩,୦୧୫ ଟଙ୍କା ଭଡ଼ା ପଡ଼ିବ। ଏହି ଟ୍ରେନ୍‌ ଘଣ୍ଟାକୁ ୧୬୦ କିମି ବେଗରେ ଗତି କରିବ।

ସମ୍ବନ୍ଧିତ ଖବର