ବଂଶଧାରା ଜଳବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ମାର୍ଚ୍ଚ ୪ରେ

ନୂଆଦିଲ୍ଲୀ : ସୁପ୍ରିକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ମାର୍ଚ୍ଚ ୪ ରେ ହେବ। ଏନେଇ ଆଜି ସୁପ୍ରିମକୋର୍ଟର ବିଚାରପତି ଡି. ଵାଇ. ଚନ୍ଦ୍ରଚୂଡ଼ ଓ ବିଚାରପତି ଋଷିକେଶ ରାୟଙ୍କ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି।

ବଂଶଧାରା ଜଳବିବାଦକୁ ନେଇ ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମାମଲା ବିଚାରଧୀନ ରହିଛି। ଏହି ଦୁଇଟି ମାମଲାର ଏକତ୍ର ଶୁଣାଣି କରାଯିବ। ଆଜି ଓଡ଼ିଶା ପକ୍ଷରୁ ଏହି ମାମଲାରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଖଣ୍ଡପୀଠଙ୍କ ନିକଟରେ ନେରେଡ଼ି ପ୍ରକଳ୍ପ ଅଞ୍ଚଳରେ ଯୁଗ୍ମ ସର୍ଭେକୁ ନେଇ ଟ୍ରିବ୍ୟୁନାଲଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ଘୋର ଆପତ୍ତି ଉଠାଇବା ସହିତ ସେହି ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ସର୍ଭେ କାର୍ଯ୍ୟ ତ୍ବରାନ୍ବିତ କରିବାରେ ଜଟିଳ ପରିସ୍ଥିତି ଉପୁଜିବ ବୋଲି ଖଣ୍ଡପୀଠଙ୍କୁ କହିଥିଲେ। ଅପରପକ୍ଷେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବରିଷ୍ଠ ଆଇନଜୀବୀ ସି. ଏସ. ବୈଦ୍ୟନାଥମ୍ କହିଥିଲେ ଓଡ଼ିଶାକୁ ଯୁଗ୍ମ ସର୍ଭେର ନିର୍ଦ୍ଦେଶନାମାକୁ ପାଳନ କରିବାକୁ ପଡ଼ିବ। ରାଜନୈତିକ କାରଣରୁ ଓଡ଼ିଶା ଆପତ୍ତି ଉଠାଉଛି ବୋଲି ସେ କହିଥିଲେ।

ଆଜି ସୁପ୍ରିମକୋର୍ଟରେ ଶୁଣାଣି ସରିବା ପରେ ଅପରାହ୍ନରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ମୁକୁନ୍ଦକମ୍ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲା ଶୁଣାଣି ହୋଇଥିଲା। ଓଡ଼ିଶା ପକ୍ଷରୁ ଦୁଇଟି ସ୍ବତନ୍ତ୍ର ଲିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ଶୁଣାଣି ପାଇଁ ମାର୍ଚ୍ଚ ୪କୁ ଧାର୍ଯ୍ୟ କରାଯାଇଥିବାର ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା। ସୁପ୍ରିମକୋର୍ଟର ଚୂଡ଼ାନ୍ତ ଶୁଣାଣି ପରେ ଟ୍ରିବ୍ୟୁନାଲ ମାର୍ଚ୍ଚ ୩୦ରେ ଏହି ମାମଲାର ଶୁଣାଣି କରିବେ ବୋଲି ତାରିଖ ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.