ଫ୍ଲାଏଓଭର କାମ ବେଳେ ଭଙ୍ଗା ହୋଇଥିଲା ୩ଟି ଗଣେଶ ମନ୍ଦିର, ଗଣେଶଙ୍କ କୋପରୁ ଭୁଷୁଡ଼ିଲା ପୋଲ : ରାଜ ବବ୍ଦର

ଲକ୍ଷ୍ନୌ: ମଙ୍ଗଳବାର ରାତି ଥିଲା ବାରଣାସୀ ବାସୀଙ୍କ ପାଇଁ ଥିଲା ଏକ କାଳରାତି । ନିର୍ମାଣାଧୀନ ଫ୍ଲାଏଓଭର ଭୁଷୁଡ଼ି ପଡ଼ିବାରୁ ୧୯ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଲୋକମାନଙ୍କୁ ବୁଧବାର ଦେଖିବା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିଥିଲେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ୍‌ବବ୍ଦର । ସେଠାରେ ତାଙ୍କୁ ଏହି ଦୁର୍ଘଟଣା ବିଷୟରେ ପଚରାଯିବା ପରେ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲାା

ଏହି ଦୁର୍ଘଟଣା ଉପରେ ନିଜର ମତ ରଖି କହିଥିଲେ,”ଲୋକମାନଙ୍କ ଠାରୁ ମୁଁ ଶୁଣିବାକୁ ପାଇଲି କି ସରକାର ନିର୍ବାଚନ ପୂର୍ବରୁ ଏହି ଫ୍ଲାଏଓଭରର କାମ ଶେଷ କରିବାକୁ ଚାହୁଁଥିଲେ । ଏଥି ପାଇଁ ପୋଲ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ୩ଟି ଗଣେଶ ମନ୍ଦିରକୁ ସରକାର ତାହାକୁ ଭାଙ୍ଗି ଦେଇଥିଲେ । ଯାହାର ପରିଣାମ ଏବେ ଲୋକମାନଙ୍କୁ ଭୋଗିବାକୁ ପଡ଼ୁଛି । ସରକାର ଆରାମରେ ବସିଥିବା ବେଳେ ସେ କରିଥିବା କର୍ମର ଫଳ ଆଜି ଲୋକମାନେ ଭୋଗୁଛନ୍ତି।” ସୂଚନା ମୁତାବକ, ମଙ୍ଗଳବାର ବାରଣାସୀ କେଣ୍ଟ ରେଳ ଷ୍ଟେସନ ପାଖରେ ନିର୍ମାଣ କରାଯାଉଥିବା ପୋଲ ହଠାତ୍‌ ଭୁଷୁଡ଼ି ପଡ଼ିବାରୁ ସେହି ସମୟରେ ତଳେ ଥିବା ଗାଡ଼ିଗୁଡ଼ିକ ପୋଲର ଭଗ୍ନାବିଶେଷ ତଳେ ଚାପି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୧୯ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର