ନୂଆଦିଲ୍ଲୀ: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ କେରଳ କୋଚି ବିମାନବନ୍ଦରରେ ପହଞ୍ଚିଯାଇ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

Advertisment

୪୫ଜଣ ମୃତ ଭାରତୀୟଙ୍କ ମଧ୍ୟରୁ ଜଣେ ବାରାଣାସୀର ୩୬ବର୍ଷୀୟ ଇଞ୍ଜିନିୟର ପ୍ରବୀଣ ମାଧବ ସିଂହ ବି ରହିଛନ୍ତି। ଯିଏକି କିଛିଦିନ ପୂର୍ବରୁ ଘରକୁ ଆସିଥିବା ବେଳେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଯିବାକୁ ତାଙ୍କର ଚଳିତ ଥର ଇଚ୍ଛା ହେଉ ନଥିଲା କଥା ବାପାଙ୍କୁ କହିଥିଲେ।

ପୁଅ ପ୍ରବୀଣ ମାଧବର ମୃତ୍ୟୁ ଖବର ପାଇବା ପରେ ବାପା ଜୟପ୍ରକାଶ କାନ୍ଦିକାନ୍ଦି କହିଛନ୍ତି, ‘ମୋ ପୁଅ ୯ବର୍ଷ ହେବ ଏନବିଟିଏସ କମ୍ପାନିରେ ସେଲ୍ସ କୋଅର୍ଡିନେଟର ପଦରେ କାମ କରୁଥିଲା। ଏଥର ପୁଅ ୧୫ଦିନ ପାଇଁ ଘରକୁ ଆସିଥିଲା। ଛୁଟି ସରିବା ପରେ ସେ ଆଉ ଚାକିରିକୁ ଯିବାକୁ ଇଚ୍ଛା କରୁ ନଥିଲା। କିନ୍ତୁ କମ୍ପାନିରେ ୧୦ବର୍ଷ ପୁରା ନହେଲେ କମ୍ପାନି ସମସ୍ତ ପ୍ରକାର ଫଣ୍ଡ କର୍ମଚାରୀଙ୍କୁ ଫେରସ୍ତ କରେନାହିଁ। ତେଣୁ ପ୍ରବୀଣ ମାଧବକୁ ବାଧ୍ୟ ହୋଇ ଫେରି ଯିବାକୁ ହୋଇଥିଲା।

ଗଲାବେଳେ ସେ ମୋତେ ବାରମ୍ବାର କହିଥିଲା ବାପା ମୋତେ ଏଥର ଘରଛାଡ଼ି ଯିବାକୁ ଆଦୌ ଇଚ୍ଛା ହେଉନାହିଁ। ଏବର୍ଷ ଶେଷଯାଏଁ କୁଏତରେ ରହିବା ପରେ ମୁଁ ବନାରସ ଚାଲି ଆସିବି। ଶେଷ ଫୋନ କଲରେ ବି ପୁଅ ଏଇ କ୍‌ଥା ହିଁ କହିଥିଲା।

ବିଧିର ବିଧାନ ବି ବଡ଼ ବିଚିତ୍ର । କିଏ ଜାଣିଥିଲା ଏମିତି ଏକ ଅଘଟଣ ଘଟିଯିବ ବୋଲି। ରାଉରକେଲାରୁ ବିଟେକ ଶେଷପରେ କୁଏତ ଯାଇଥିବା ପୁଅ ସେଠାରୁ ଶବ ହୋଇ ଘରକୁ ଫେରୁଛି। ହେ ଭଗବାନ ଏମିତି ଦୁଃଖ କୌଣସି ବାପାଙ୍କୁ ନଦିଏ ଏତିକି ମୋର ପ୍ରାର୍ଥନା।’

ଗତ ବୁଧବାର କୁଏତ୍‌ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍‌ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ଏଥିରେ ୧୯୫ଜଣ ଶ୍ରମିକ ଓ ସଂସ୍ଥାର କର୍ମଚାରୀ ରହୁଥିଲେ।