ବାରଣାସୀ-ମଥୁରା-ଆଗ୍ରା-ଧାର: ୪ ଧାର୍ମିକ ବିବାଦକୁ ନେଇ ଅଦାଲତ ରାୟ

ବାରଣାସୀରେ ଜ୍ଞାନବାପି ମସ୍‌ଜିଦ ମାମଲାରେ କୋର୍ଟ କମିସନର ହଟିବେ ନାହିଁ, ତାଜମହଲରେ ୨୨ ବନ୍ଦ କବାଟ ଖୋଲିବା ଆବେଦନ ଖାରଜ

ନୂଆଦିଲ୍ଲୀ: ଦେଶରେ ଆଜି ୪ଟି ସ୍ଥାନରେ ଧାର୍ମିକ ସ୍ଥଳ ସଂପର୍କିତ ବିବାଦକୁ ନେଇ ବିଭିନ୍ନ ଅଦାଲତରେ ଶୁଣାଣି ହୋଇଛି । ବାରଣାସୀର ଜ୍ଞାନବାପି ମସ୍‌ଜିଦ୍‌ରେ ସର୍ଭେକୁ ନେଇ କୋର୍ଟ ରାୟ ଉପରେ ପୂରା ଦେଶର ନଜର ରହିଥିଲା। ଏହି ମାମଲାରେ ମୁସ୍‌ଲିମ୍‌ ପକ୍ଷକୁ ଝଟ୍‌କା ଲାଗିଛି। ଅନ୍ୟପକ୍ଷରେ ଆଗ୍ରା ତାଜମହଲର ୨୨ଟି ବନ୍ଦ କୋଠରୀ ଖୋଲିବାକୁ ନେଇ ମଧ୍ୟ ଆବେଦନ ଉପରେ ଶୁଣାଣି ହୋଇଛି। ହାଇକୋର୍ଟ ଆବେଦନକୁ ଖାରଜ କରି ଆବେଦନକାରୀ ବିଜେପି ନେତାଙ୍କୁ ଭର୍ତ୍ସନା କରିଛନ୍ତି। ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ଉପରେ ମଧ୍ୟ ଆହ୍ଲାବାଦ ହାଇକୋର୍ଟ ନିମ୍ନ ଅଦାଲତରେ ଥିବା ସମସ୍ତ ମାମଲାର ଫଏସଲା ୪ ମାସ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମଧ୍ୟପ୍ରଦେଶର ଧାରରେ ଐତିହାସିକ ଭୋଜଶାଳା ଭବନ ବିବାଦକୁ ନେଇ ହାଇକୋର୍ଟଙ୍କ ଇନ୍ଦୋର ପୀଠ ହିନ୍ଦୁ ସଂଗଠନର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଜ୍ଞାନବାପି ମସ୍‌ଜିଦ ଏବଂ ଶୃଙ୍ଗାର ଗୌରୀ ମନ୍ଦିର ବିବାଦ ମାମଲାରେ କୋର୍ଟ ସ୍ପଷ୍ଟ ରାୟ ଦେଇ କହିଛନ୍ତି ଯେ କୋର୍ଟ କମିସନରଙ୍କୁ ହଟାଯିବ ନାହିଁ। ୧୭ ମେ ପୂର୍ବରୁ ଏହି ମସ୍‌ଜିଦରେ ଦ୍ବିତୀୟ ଥର ପାଇଁ ସର୍ଭେ କାର୍ଯ୍ୟ ହେବ। ମୁସ୍‌ଲିମ ପକ୍ଷ ଏହି ମାମଲାରେ କୋର୍ଟ କମିସନରଙ୍କୁ ହଟାଇବାକୁ ଦାବି କରିଥିଲେ। ତେବେ ଏହି ଦାବିକୁ ସିଭିଲ ଜଜ୍‌ ଖାରଜ କରିଦେଇଛନ୍ତି। ସର୍ଭେ ବନ୍ଦ ରଖିବାକୁ ମଧ୍ୟ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିରେ କେହି ବାଧା ସୃଷ୍ଟି କଲେ ତୁରନ୍ତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀକୃଷ୍ଣ ଜନ୍ମଭୂମି ସହିତ ଜଡ଼ିତ ସମସ୍ତ ଆବେଦନର ଫଏସଲା ୪ ମାସରେ ହେବ
ମଧ୍ୟପ୍ରଦେଶର ଧାରରେ ଭୋଜଶାଳା ବିବାଦ ଆବେଦନକୁ କୋର୍ଟ ଗ୍ରହଣ କଲେ

ଅନ୍ୟପକ୍ଷରେ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତଗୁଡ଼ିକରେ ଏହି ବିବାଦ ନେଇ ରହିଥିବା ସମସ୍ତ ଆବେଦନର ଫଏସଲା ୪ ମାସ ମଧ୍ୟରେ କରାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଥୁରାର ଏକ ଅଦାଲତରେ ଶ୍ରୀକୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଜମିର ଅଧିକାର ସଂକ୍ରାନ୍ତ ମାମଲା ବିଚାରାଧୀନ ରହିଛି। ଗତ ସପ୍ତାହରେ ମଥୁରାର ଜିଲ୍ଲା ଅଦାଲତ ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗାହ ବିବାଦରେ ରାୟ ସଂରକ୍ଷିତ ରଖିଥିଲେ। ଏଠାରେ ଥିବା ମସ୍‌ଜିଦକୁ ହଟାଇବା ପାଇଁ ହୋଇଥିବା ଏକ ଆବେଦନକୁ ୨୦୨୦ରେ କୋର୍ଟ ଖାରଜ କରିଦେଇଥିଲେ। ସେହିଭଳି ମଧ୍ୟପ୍ରଦେଶର ଧାର ଜିଲ୍ଲା ସ୍ଥିତ ଭୋଜଶାଳା ବିବାଦ ଏବେ ଅଦାଲତରେ ପହଞ୍ଚି ଯାଇଛି। ହାଇକୋର୍ଟଙ୍କ ଇନ୍ଦୋର ପୀଠ ଏ ବାବଦ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଆବେଦନରେ କୁହାଯାଇଛି ଯେ ‘ରାଜା ଭୋଜ ଭୋଜଶାଳ ଭବନ’ ଏକ ସ୍ବରସ୍ବତୀ ମନ୍ଦିର ହୋଇଥିବାରୁ ଏଠାରେ ମୁସ୍‌ଲିମଙ୍କ ନମାଜ ପାଠ ଉପରେ ରୋକ୍‌ ଲଗାଯାଉ। ମୁସ୍‌ଲିମ ପକ୍ଷ ଭୋଜଶାଳାକୁ କମାଲ ମୌଲାନାଙ୍କ ଦରଗାହ ଭାବେ ଦର୍ଶାଇଛନ୍ତି। ସେହିଭଳି ଆହ୍ଲାବାଦ ହାଇକୋର୍ଟ ତାଜମହଲର ବନ୍ଦ କୋଠରୀ ଖୋଲିବା ସଂକ୍ରାନ୍ତ ଆବେଦନକୁ ଖାରଜ କରି ଆବେଦନାକରୀ ବିଜେପି ନେତାଙ୍କୁ ଭର୍ତ୍ସନା କରିଛନ୍ତି। ଏହି କାର୍ଯ୍ୟ ଇତିହାସକାରଙ୍କ ଉପରେ ଛାଡ଼ି ଦିଆଯାଉ ବୋଲି ହାଇକୋର୍ଟ କହିଛନ୍ତି।

 

ସମ୍ବନ୍ଧିତ ଖବର