ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରାଣସୀରେ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ବାରାଣସୀ‌ରେ ମୋଦୀ ବିପୁଳ ଭୋଟ୍‌ରେ ବିଜୟୀ ହେବେ ‌ବୋଲି ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଦଳର ବରିଷ୍ଠ ନେତାମାନେ ବାରାଣସୀରେ ହାଇ ଭୋଲ୍ଟେଜ ପ୍ରଚାର କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜେ କିଛିଦିନ ବାରାଣସୀରେ ରହିଥିଲେ। ମୋଦୀ ୨୦୧୯ରେ ବାରାଣସୀ ଆସନରେ ପାଖାପାଖି ୪.୮ ଲକ୍ଷ ଭୋଟ୍‌ରେ ଜିତିଥିଲେ। କିନ୍ତୁ ଚଳିତ ଥର ତାଙ୍କ ଟାର୍ଗେଟ୍‌ ହେଉଛି ୫ ଲକ୍ଷ ଟପିବା।

Advertisment

ଏ କ୍ଷେତ୍ରରେ ମୋଦୀ ଅନ୍ୟ ରାଜନେତାଙ୍କଠାରୁ ଆଗରେ ଅଛନ୍ତି ଏବଂ ବିଜୟ ବ୍ୟବଧାନରେ ଏଥର ରେକର୍ଡ କରିବା ଲକ୍ଷ୍ୟରେ ଅଛନ୍ତି। ମୋଦୀ କାଶୀର ୨୦୦୦ରୁ ଅଧିକ ପ୍ରମୁଖ ନାଗରିକ ଏବଂ ୯୦ ହଜାରରୁ ଅଧିକ ପ୍ରଥମ ଥର ଭୋଟର୍‌ଙ୍କୁ ଚିଠି ଲେଖି ସେମାନଙ୍କୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଛନ୍ତି। ମେ’ ୧୩ ତାରିଖରେ ମୋଦୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏନଡିଏ ମେଣ୍ଟର ସମସ୍ତ ସହଯୋଗୀ ତାଙ୍କ ସହ ଉପସ୍ଥିତ ଥିଲେ। ବାରାଣସୀରେ ମୋଦୀଙ୍କ ବିରୋଧରେ କଂଗ୍ରେସର ଅଜୟ ରାୟ ନିର୍ବାଚନ ଲଢ଼ୁଛନ୍ତି। ୫ ଥର ବିଧାୟକ ‌ହୋଇଥିବା ଅଜୟ ରାୟଙ୍କୁ ସମାଜବାଦୀ ପାର୍ଟି ସମର୍ଥନ କରୁଛି।