ଭୀମା କୋରେଗାଓଁ ମାମଲାରେ ଗିରଫ ବର୍ବରା ରାଓଙ୍କୁ ୬ ମାସ ମଧ୍ୟବର୍ତ୍ତୀକାଳୀନ ଜାମିନ

 

ମୁମ୍ବାଇ: ଭୀମା କୋରେଗାଓଁ ମାମଲାରେ ଗିରଫ ହୋଇ ଦୁଇ ବର୍ଷ ଜେଲ୍‌ରେ ରହିଥିବା ୮୧ ବର୍ଷିୟ କବି ତଥା ସାମାଜିକକର୍ମୀ ବର୍ବରା ରାଓଙ୍କୁ ଆଜି ବମ୍ବେ ହାଇକୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ୬ ମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି।

ସମ୍ପ୍ରତି ସେ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ମହାରାଷ୍ଟ୍ର ସରକାର ତାଙ୍କୁ ସେଠାରେ ଭର୍ତ୍ତି କରିଥିଲେ।

Image Courtesy of Amar Ujala

ଅଦାଲତ ତାଙ୍କୁ ମୁମ୍ବାଇରେ ରହିବା ଓ ତଦନ୍ତ ଲାଗି ଆବଶ୍ୟକ ବେଳେ ଉପସ୍ଥିତ ହେବାକୁ କହିଛନ୍ତି। ଏଥିସହ ସେ ‘ଏନ୍‌ଆଇଏ’ ଅଦାଲତରେ ତାଙ୍କର ପାସ୍‌ପୋର୍ଟ ଦାଖଲ କରିବେ। ଏହି ମାମଲାରେ ତାଙ୍କର ସହ ଅଭିଯୁକ୍ତମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ନ କରିବାକୁ ତାଙ୍କୁ କୁହାଯାଇଛି। ଏହାଛଡ଼ା ତାଙ୍କୁ ୫୦ ହଜାର ଟଙ୍କାର ଏକ ବ୍ୟକ୍ତିଗତ ବଣ୍ଡ୍‌ ଓ ସମପରିମାଣର (୫୦ ହଜାର ଟଙ୍କାର ) ଦୁଇଟି ମୁଚାଲିକା ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ମାମଲାର ବିଚାର ପାଇଁ ଅପେକ୍ଷା କରି ୨୦୧୮ ଅଗଷ୍ଟ ୨୮ ତାରିଖରୁ ସେ ହାଜତରେ ରହିଥିଲେ।

ହାଇକୋର୍ଟ କହିଛନ୍ତି, ଆମେ ରାଓଙ୍କୁ ଜାମିନ ନ ଦେଇଥିଲେ ତାହା ମାନବିକ ଅଧିକାର ନୀତି ଉଲ୍ଲଂଘନ ହେବା ସହ ଜୀବନ ଓ ସ୍ୱାସ୍ଥ୍ୟ ଲାଗି ଥିବା ନାଗରିକଙ୍କ ମୌଳିକ ଅଧିକାର ଅକ୍ଷୁଣ୍ଣ ରଖିବାରେ ଆମର ଦାୟିତ୍ୱରେ ତ୍ରୁଟି ହୋଇ ଥାଆନ୍ତା।

ସମ୍ବନ୍ଧିତ ଖବର