ନୂଆଦିଲ୍ଲୀ: ଘୋଷଣା ହେଲା ବିଜେପିର ନୂଆ ଦଳ। ଆଜି ବିଜେପି ନିଜର ଜାତୀୟ କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛି। ହେଲେ ଏଥର ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କୁ ଜାତୀୟ କାର୍ଯ୍ୟକାରିଣୀ କମିଟିରୁ ବାଦ ଦିଆଯାଇଛି। ସେମାନଙ୍କ ନାଁ ୮୦ଜଣ ସଦସ୍ୟଙ୍କ ଭିତରେ ନାହିଁ। ବରୁଣ ଗାନ୍ଧୀ ଲଖିମପୁର ଖେରି ହିଂସା ଏବଂ କୃଷି ଆଇନକୁ ସମର୍ଥନ କରିଥିବାରୁ ବିଜେପି ଏଭଳି କରିଥିବା ଚର୍ଚ୍ଚ ହେଉଛି। ଏହା ସହ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ଦିଆଯାଇ ନାହିଁ। ତେବେ ଦେଢ଼ ବର୍ଷ ପୂର୍ବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଏଥିରେ ସ୍ଥାନ ଦିଆଯାଇଛି।
ବିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା, ପୀୟୁଷ ଗୋୟଲଙ୍କ ସମେତ ୮୦ଜଣ ସଦସ୍ୟ ଅଛନ୍ତି। ଏମାନଙ୍କ ବ୍ୟତୀତ ୫୦ଜଣ ସ୍ୱତନ୍ତ୍ରଭାବେ ନିମନ୍ତ୍ରିତ ଏବଂ ୧୭୯ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏଥିରେ ସାମିଲ ଅଛନ୍ତି। ମୋଟ ୩୦୯ଜଣ ସଦସ୍ୟଙ୍କ ସହ ନୂଆ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି। ଏଥିରେ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଧାରକ, ସମସ୍ତ ଫ୍ରଣ୍ଟର ସଭାପତି, ସମସ୍ତ ଜାତୀୟ ମୁଖପାତ୍ର, ସବୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଧାୟକ ଦଳର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ସମସ୍ତ ରାଜ୍ୟର ସଭାପତି, ରାଜ୍ୟସଭା ଏବଂ ଲୋକସଭାର ମୁଖ୍ୟ ସଚେତକ ସାମିଲ ହୋଇଛନ୍ତି।