ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାମ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦୌଡ଼କୁ ଆସିଯାଇଛି । କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବାକୁ ସେ ବୁଧବାର ରାତିରେ ଦିଲ୍ଲୀରେ ପହଞ୍ଚିପାରନ୍ତି, ହାଇକମାଣ୍ଡ ତାଙ୍କୁ ଆଲୋଚନା ପାଇଁ ଡାକିଥିବା କୁହାଯାଉଛି। ତେବେ ସେ ଦଳୀୟ ନିଷ୍ପତ୍ତି ମାନିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ତେବେ ବିଜେପି ଏଥର ରାଜ୍ୟରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଡିସେମ୍ବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଦୁଇ ଥର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ୨୫ ଜଣ ବିଧାୟକଙ୍କୁ ଭେଟିଥିଲେ, ଯାହାକୁ ରାଜେଙ୍କ ଶକ୍ତି ପ୍ରଦର୍ଶନ ଭାବେ ବିବେଚନା କରାଯାଉଥିଲା।

ବୁଧବାର (ଡିସେମ୍ବର ୬) ଜୟପୁର ରାଜସମନ୍ଦର ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ସିଂ ରାଠୋର, ରାଜ୍ୟସଭା ସଦସ୍ୟ କିରୋରୀ ଲାଲ ମୀନା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ଅଲୱାର ସାଂସଦ ବାବା ବାଲକନାଥ ମଧ୍ୟ ଖୁବଶୀଘ୍ର ପଦରୁ ଇସ୍ତଫା ଦେବେ। ଇସ୍ତଫା ଦେବା ପରେ ଦିୟା କୁମାରୀ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟି ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା କୁହାଯାଉଛି।