‘ଶ୍ରେଷ୍ଠ ଅନୁଷ୍ଠାନ’ ପାଇଁ ବେଦାନ୍ତର ଆବେଦନ

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଦେଶରେ ଚୟନ ହେବାକୁ ଥିବା ୨୦ଟି ଇନ୍‌ଷ୍ଟିଚ୍ୟୁଟ୍ସ ଅଫ୍‌ ଏମିନେନ୍ସ (ଶ୍ରେଷ୍ଠ ଅନୁଷ୍ଠାନ) ଶିକ୍ଷାକେନ୍ଦ୍ର ପାଇଁ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆବେଦନ କରିଥିବା ଜଣାପଡ଼ିଛି। ଅପରପକ୍ଷେ, ଉକ୍ତ ବିଶ୍ୱବିଦ୍ୟାଳୟର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପାଇଁ ଏହା ଆବେଦନ କରିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ଉଲ୍ଳେଖଯୋଗ୍ୟ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରେ ୧୦ଟି ସରକାରୀ ଓ ୧୦ଟି ବେସରକାରୀ ଶିକ୍ଷାନୁଷ୍ଠାନକୁ ଇନଷ୍ଟିଚ୍ୟୁଟ୍ସ ଅଫ୍‌ ଏମିନେନ୍ସ ଭାବେ ଚୟନ କରାଯିବ। ଏଥିପାଇଁ ଆବେଦନର ଶେଷ ତାରିଖ ୨୦୧୭ ଡିସେମ୍ବର ୨୨ ଥିଲା ବେଳେ ପରେ ଏହି ଅବଧିକୁ ୨୦୧୮ ଫେବ୍ରୁଆରି ୨୨ ଯାଏ ବଢ଼ାଯାଇଥିଲା। ଏଥିପାଇଁ ବେଦାନ୍ତ ପକ୍ଷରୁ ଆବେଦନ କରାଯାଇଛି। ସୂଚନା ଥାଉ କି, ପୁରୀ କୋଣାର୍କ ବେଳାଭୂମି ରାସ୍ତାରେ ବେଦାନ୍ତ ଦ୍ୱାରା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ୨୦୦୬ ଜୁଲାଇ ୧୯ରେ ରାଜ୍ୟ ସରକାର ଓ ବେଦାନ୍ତ ଗ୍ରୁପ୍‌ ମାଲିକାନାରେ ଥିବା ଅନୀଲ ଅଗ୍ରଓ୍ଵାଲ ଫାଉଣ୍ଡେସନ ମଧ୍ୟରେ ଏମ୍‌ଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ହେଲେ ଜମି ଅଧିଗ୍ରହଣ, ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଏହି ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଛି। ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ବିକଳ୍ପ ଜମି ଦେବେନାହିଁ ବୋଲି ପୂର୍ବରୁ କହି ସାରିଛନ୍ତି। ସେହିପରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ସ୍ଥାପନ ଦିଗରେ କର୍ତ୍ତୃପକ୍ଷ ବିଶେଷ ଆଗ୍ରହ ଦେଖାଉନଥିବା ଦର୍ଶାଇ ଗତବର୍ଷ ଅକ୍ଟୋବର ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର