ନୂଆଦିଲ୍ଲୀ : ଝାରସୁଗୁଡ଼ାସ୍ଥିତ ବେଦାନ୍ତର କାର୍ତ୍ତିକେଲା ଆସ୍ ପଣ୍ଡ୍ ଭାଙ୍ଗିଯିବା ଜନିତ ପ୍ରଦୂଷଣ ମାମଲାରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି) ପକ୍ଷରୁ ଶୁଣାଣି କରାଯାଇଛି। ଏହି ମାମଲାରେ ଏନ୍ଜିଟି କେନ୍ଦ୍ର ସରକାର, ରାଜ୍ୟ ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବେଦାନ୍ତକୁ ନୋଟିସ୍ କରି ଜବାବ ତଲବ କରିଛନ୍ତି।
ବିଚାରପତି ରଘୁବେନ୍ଦ୍ର ରାଠୋର ଓ ବିଚାରପତି ସତ୍ୟବାନ ସିଂଗ୍ରବ୍ୟ ଆଜି ସମାଜସେବୀ ପ୍ରଫୁଲ ସାମନ୍ତରାୟଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି କରିଥିଲେ। ସମସ୍ତ ପକ୍ଷଙ୍କୁ ଜାନୁଆରି ୨ ତାରିଖ ସୁଦ୍ଧା ଜବାବ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଅନୁରୂପ ମାମଲା ନେଇ ଏନ୍ଜିଟିରେ ଝାରସୁଗୁଡ଼ା ବଞ୍ଚାଅ ସମିତି ଦ୍ବାରା ଦାଖଲ ହୋଇଥିବା ମୂଳ ମାମଲା ସହ ଏହି ମାମଲାର ଶୁଣାଣି କରାଯିବ। ଖଣ୍ଡପୀଠ ମୂଳ ମାମଲାର ଶୁଣାଣି କରିବାପାଇଁ ଜାନୁଆରି ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ପ୍ରକାଶଥାଉକି, ବେଦାନ୍ତର ଝାରସୁଗୁଡ଼ା ସ୍ଥିତ କାର୍ତ୍ତିକେଲା ଆସ୍ ପଣ୍ଡ୍ ଭାଙ୍ଗିଯିବାରୁ ୪୦ ଲକ୍ଷ ମେଟ୍ରିନ୍ ଟନ୍ ପାଉଁଶ ଭେଡ଼େନ୍ ନଦୀକୁ ପ୍ରଦୂଷିତ କରିଥିଲା। ଫଳସ୍ବରୂପ ୧୧୫ ଏକରରୁ ଊର୍ଦ୍ଧ୍ବ ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା। ଝାରସୁଗୁଡ଼ା ବଞ୍ଚାଅ ସମିତି ଦ୍ବାରା ଏନ୍ଜିଟିରେ ମାମଲା ଦାଏର କରାଯାଇଥିଲା। ଏହାପରେ ଟ୍ରିବ୍ୟୁନାଲ୍ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ।