ନୂଆଦିଲ୍ଲୀ: ବେଣୁ ଗୋପଳ ଧୁତ୍ ସ୍ଥାନ କରିଥିବା ଭିଡିଓକନ୍ ଓ ଏହାର ଅନ୍ୟ ୧୨ଟି ସଂସ୍ଥାକୁ କିଣିବା ଲାଗି ବିଡ୍ ଜିତିବା ସତ୍ତ୍ବେ ବେଦାନ୍ତ ଗ୍ରୁପ୍ ମାଲିକାନାରେ ଥିବା ଟ୍ବିନ୍ଷ୍ଟାର ଟେକ୍ନୋଲୋଜି ତାହାକୁ ହାସଲ କରିପାରୁନାହିଁ। ଏହାକୁ ଧୁତ୍ ଚ୍ୟାଲେଞ୍ଜ୍ କରିଛନ୍ତି। ଧୁତ୍ଙ୍କ ଆବେଦନକୁ ଖାରଜ କରିବା ଲାଗି ଟ୍ବିନ୍ଷ୍ଟାର୍ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି।
ଦେବାଳିଆ ହୋଇପଡ଼ିଥିବା ଭିଡିଓକନ୍ର ମାମଲାକୁ ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଆଧାରରେ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ରେ ଶୁଣାଣି କରାଯାଇଥିଲା। କଂପାନିକୁ ଋଣ ଦେଇଥିବା ସଂସ୍ଥାଗୁଡ଼ିକ ନିଜ ଅର୍ଥ ଫେରିପାଇବା ଲାଗି ଭିଡିଓକନ୍କୁ ଟ୍ରିବ୍ୟୁନାଲ୍କୁ ଟାଣିଥିଲେ। ସେଠାରେ ଭିଡିଓକନ୍ ଓ ତାହାର ସହଯୋଗୀ ସଂସ୍ଥାଗୁଡ଼ିକର ନିଲାମ ହୋଇଥିଲା। ଟ୍ବିନ୍ଷ୍ଟାର୍ ପକ୍ଷରୁ ପ୍ରାୟ ୨,୯୬୨ କୋଟି ଟଙ୍କାର ବିଡ୍ ଦାଖଲ କରାଯାଇଥିଲା ଯାହାକୁ ଟ୍ରିବ୍ୟୁନାଲ୍ ଅନୁମୋଦନ ପ୍ରଦାନ କରିଥିଲା। ଧୁତ୍ କିନ୍ତୁ ସେହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ଟ୍ବିନ୍ଷ୍ଟାର୍ର ବିଡ୍କୁ ଗ୍ରହଣ କରିବା ବଦଳରେ ୩୧,୭୮୯ କୋଟି ଟଙ୍କାର ସେ ଯେଉଁ ସମାଧାନ ପ୍ଲାନ୍ ଦାଖଲ କରିଛନ୍ତି ତାହାକୁ ଗ୍ରହଣ କରିବା ଲାଗି ଋଣ ପ୍ରଦାନକାରୀମାନଙ୍କୁ କହିବାକୁ ଧୁତ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।