ବେଦାନ୍ତ ବି‌ଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲା, ୨୦ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ଶୁଣାଣି ଚଳିତ ମାସ ୨୦ ତାରିଖକୁ ଘୁଞ୍ଚିଛି। ବିଚାରପତି ଜଷ୍ଟିସ୍‌ ଏମ୍‌ଆର୍‌ ଶାହା ଓ ବିଚାରପତି ଜଷ୍ଟିସ୍‌ କ୍ରିଷ୍ଣା ମୁରାରିଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ଅନିଲ ଅଗ୍ରୱାଲ ଫାଉଣ୍ଡେସନ୍‌ ପକ୍ଷରୁ ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ ବରିଷ୍ଠ ଆଇନଜୀବୀ ସିଏ ସୁନ୍ଦରମ।

ସେ କହିଥିଲେ, ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ପାଇଁ ଚାଷୀମାନଙ୍କ ଠାରୁ ଅଧିଗ୍ରହଣ କରାଯାଇଥିବା ଜମି ବଦଳରେ ସେମାନଙ୍କୁ ଥଇଥାନ ଓ ପୁନର୍ବାସ ପ୍ୟାକେଜ୍‌ ଦିଆଯାଇଛି। ଏଥିରେ ଚାଷୀମାନେ ଖୁସି ଅଛନ୍ତି। ତେବେ ଶ୍ରୀ ସୁନ୍ଦରମଙ୍କ ଯୁକ୍ତି ଉପସ୍ଥାପନ ଆଜି ପୂର୍ଣ୍ଣାଙ୍ଗ ହୋଇପାରିନଥିଲା। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦କୁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଥିଲେ। ଚାଷୀମାନଙ୍କ ଠାରୁ ଅଧିଗ୍ରହଣ କରାଯାଇଥିବା ଜମିକୁ ଫେରାଇ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜାନୁଆରି ୨୮, ୨୦୧୧ରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର