ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲା, ଏଏଏଫ୍‌ ଓ ରାଜ୍ୟ ସରକାରଙ୍କ ଯୁକ୍ତି ଉପସ୍ଥାପନ ଶେଷ

ଆସନ୍ତାକାଲି ବିରୋଧୀଙ୍କ ପକ୍ଷ ରଖିବେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ମାମଲା ଶୁଣାଣିରେ ସୁପ୍ରିମକୋର୍ଟରେ ଆଜି ଅନିଲ ଅଗ୍ରୱାଲ ଫାଉଣ୍ଡେସନ୍‌ (ଏଏଏଫ୍‌) ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ ହୋଇଛି। ବିଚାରପତି ଏମ୍‌ଆର୍‌ ଶାହା ଓ ବିଚାରପତି କ୍ରିଷ୍ଣା ମୁରାରିଙ୍କ ଖଣ୍ଡପୀଠରେ ଆଜି ହୋଇଥିବା ଶୁଣାଣିରେ ଏଏଏଫ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଏସ୍‌ ସୁନ୍ଦରମ ପକ୍ଷ ଉପସ୍ଥାପନ କରିଥିଲେ। ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହାର ପ୍ରଭାବ ବନ୍ୟଜନ୍ତୁ, ଅଭୟାରଣ୍ୟ ଓ ନିକଟରେ ଥିବା ଦୁଇ ନଦୀ ଉପରେ କି ପ୍ରଭାବ ପକାଇବ, ତାହା ସ୍ପଷ୍ଟ କରିବା ପାଇଁ ଗତ ଶୁଣାଣିରେ ଖଣ୍ଡପୀଠ କହିଥିଲେ।

ଆଜି ଆଇନଜୀବୀ ଶ୍ରୀ ସୁନ୍ଦରମ ଏହାର ଉତ୍ତର ରଖି କହିଲେ, ଗ୍ରିନ୍‌ ବେଲ୍ଟ ପାଖରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ। ଅଧିଗ୍ରହଣ ଜମିରେ ନିର୍ମାଣ କାର୍ଯ୍ୟ ହେଲେ ଯଦି ଏହାର ପ୍ରତିକୂଳ ପରିବେଶ ଓ ଜୈବ ବିବିଧତା ପଡ଼ିବ ବୋଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଏ, ତାକୁ ଅନୁପାଳନ କରାଯିବ। ସେ କହିଲେ, ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପ ପାଇଁ ୩ ହଜାର ୮୩୭ ଏକର ଜମି ଅଧିଗ୍ରହଣ କରାଯାଇଛି ଓ କ୍ଷତିପୂରଣ ଦିଆଯାଇଛି। ସାତ ଜଣ ଅଭିଯୋଗକାରୀ ଯେଉଁମାନେ କି ୧୧.୫୨ ଏକର ଜମି ହରାଇଛନ୍ତି, ସେମାନଙ୍କୁ ଜମି ଫେରାଇ ଦିଆଯିବାପାଇଁ ସହମତି ହୋଇଛି। ତେବେ ଦୁଇଟି ଜନସ୍ବାର୍ଥ ମାମଲା ଦ୍ବାରା ସମଗ୍ର ଜମି ଅଧିଗ୍ରହଣକୁ ରଦ୍ଦ କରିବା ପାଇଁ ଦାବି କରାଯାଉଥିବା ଶ୍ରୀ ସୁନ୍ଦରମ ନିଜ ନିବେଦନରେ କହିଥିଲେ।

ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆଜି ପକ୍ଷ ଉପସ୍ଥାପନ କରାଯାଇଛି। ଗ୍ରିନ୍‌ ବେଲ୍ଟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯିବ ନାହିଁ ବୋଲି ଖଣ୍ଡପୀଠଙ୍କୁ ସ୍ପଷ୍ଟ କରାଯାଇଛି। ଆଜି ଏଏଏଫ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ ହୋଇଥିବାବେଳେ ଆସନ୍ତାକାଲି ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପକ୍ଷ ଉପସ୍ଥାପନ କରିବେ।

ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀଙ୍କ ପକ୍ଷରୁ ସଂଜୟ ପାରିଖ ଓ ପ୍ରଣବ ସଚ୍ଚିଦେବଙ୍କୁ ମଧ୍ୟ ମାମଲାରେ ସେମାନଙ୍କର ପକ୍ଷ ରଖିବା ପାଇଁ ନିୟୋଜିତ କରାଯାଇଛି।। ବେଦାନ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ପୁରୀ-କୋଣାର୍କ ବେଳାଭୂମି ମାର୍ଗ ନିକଟରେ ୨୦୦୬-୦୭ରେ ଏଏଏଫ୍‌ ଜମି ଅଧିଗ୍ରହଣ କରିଥିଲେ। ଜମି ଅଧିଗ୍ରହଣକୁ ଓଡ଼ିଶା ହାଇକୋର୍ଟ ୨୦୧୦ରେ ବେଆଇନ ଦର୍ଶାଇବା ପରେ ଏହାକୁ ଏଏଏଫ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ସମ୍ବନ୍ଧିତ ଖବର