ଜୟରାମ, ଥରୁର୍‌ଙ୍କ ବିରୋଧରେ ବର୍ଷିଲେ ମୋଇଲି

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖଳନାୟକ ଭା‌ବେ ଚିତ୍ରଣ କରିବା ଭୁଲ୍‌ ବୋଲି କହିଥିବା ବରି‌ଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଶଶି ଥରୁର୍‌ଙ୍କୁ ଦଳର ଅନ୍ୟତମ ବରିଷ୍ଠ ନେତା ଏମ୍‌ ବୀରାପ୍ପା ମୋଇଲି କଡ଼ା ସମାଲୋଚନା କରିଛନ୍ତି। ମୋଇଲି କହିଛନ୍ତି, ଉପା-୨ ସରକାରର ନୀତିଗତ ଅଚଳାବସ୍ଥା ପାଇଁ ଦାୟୀ ଥିବା କେତେକ ନେତାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ସକରାତ୍ମକ କହି ସେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ମୋଇଲି କହିଛନ୍ତି। ଶଶି ଥରୁର୍‌ ମଧ୍ୟ ଜୟରାମ ରମେଶଙ୍କ କଥାକୁ ସମର୍ଥନ କରି ମୋଦୀଙ୍କ ସମର୍ଥନରେ ଦେଇଥିବା ବୟାନ ପାଇଁ ମୋଇଲି ତାଙ୍କୁ ସମା‌ଲୋଚନା କରିଛନ୍ତି ଏବଂ ସେ ଜଣେ ଅପରିପକ୍ବ ରାଜନେତା ବୋଲି କହିଛନ୍ତି। ଏହି ଦୁଇ ନେତାଙ୍କ ଦ୍ବାରା ଦିଆଯାଇଥିବା ଟିପ୍ପଣୀ ଦୁର୍ଭାଗ୍ୟଜନକ ଏବଂ ସେମାନଙ୍କ ବିରୋଧରେ କଂଗ୍ରେସ ‌ନେତୃତ୍ବଙ୍କ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ବୋଲି ମୋଇଲି ଦାବି କରିଛନ୍ତି।

ଗତ ସପ୍ତାହରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଥିଲେ ମୋଦୀ ଶାସନକୁ ସମ୍ପୂର୍ଣ୍ଣ ନକାରାତ୍ମକ କହିବା ଭୁଲ୍‌। ସବୁବେଳେ ମୋଦୀଙ୍କୁ ନିନ୍ଦା କରିବା ଠିକ୍‌ ନୁହେଁ । ବ୍ୟକ୍ତି ‌କୈନ୍ଦ୍ରିକ ନହୋଇ ପ୍ରସଙ୍ଗଗୁଡ଼ିକୁ ସଠିକ୍‌ ଭାବେ ବିଚାର କରିବା ଉଚିତ। ବେଳେ ମୋଦୀଙ୍କୁ ନିନ୍ଦା କରିବା ଦ୍ବାରା କିଛି ବି ଲାଭ ‌ମିଳିବ ନାହିଁ ବୋଲି ସେ କହିଥିଲେ। ସେହିପରି ଶଶି ଥରୁର୍‌ ମଧ୍ୟ ଜୟରାମଙ୍କ କଥାକୁ ସମର୍ଥନ କରି କହିଥିଲେ ଯେ ଭଲ କାମ ପାଇଁ ମୋଦୀଙ୍କୁ ପ୍ରଶଂସା କରିବା ଉଚିତ୍‌।

ସମ୍ବନ୍ଧିତ ଖବର