ଅଳିଆଗଦାରୁ ମିଳିଲା ଲଟେରୀ ଟିକଟ, ପରିବା-ବିକାଳି ରାତାରାତି ହେଲେ କୋଟିପତି

କୋଲକାତା: ଆପଣ ଶୁଣିଥିବେ କେବେ କେବେ ଅଚାନକ ଭିକାରି ମଧ୍ୟ ଧନୀ ହୋଇଯାଇଥାଏ | ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି ଯେଉଁଠି ପରିବା ବିକାଳି ଜଣକ ଅଦରକାରୀ ଚିଠାରୁ ରାତାରାତି କୋଟିପତି ହୋଇଯାଇଛନ୍ତି | ଯେଉଁ ଚିଠାକୁ ସେ ଅଳିଆ ଗଦାରେ ଫିଙ୍ଗିଦେଇଥିଲେ ସେହି ଚିଠା ହିଁ ତାଙ୍କୁ କୋଟିପତି କରିଦେଇଛି | ମିଳିଥିବା ସୂଚନା ମୁତାବକ ସାଦିକ ନାମକ ଜଣେ ପରିବା ବିକାଳି କୋଲକାତାର ଦମଦମ ଅଂଚଳରେ ପରିବା ବିକ୍ରି କରନ୍ତି | ସାଦିକ ନିଜ ପତ୍ନୀଙ୍କ ସହ ମିଶି ନୂଆବର୍ଷ ପୂର୍ବ ଦିନ ଅର୍ଥାତ ଡିସେମ୍ବର ୩୧ ତାରିଖ ଦିନ ୫ଟି ଲଟେରୀ ଟିକଟ କିଣିଥିଲେ | ଜାନୁୟାରୀ ୨ ତାରିଖରେ ଏହି ଲଟେରୀର ଫଳାଫଳ ଆସିବା ଦିନ ସାଦିକକୁ କିଛି ଲୋକ କହିଥିଲେ ଯେ ସେ ଲଟେରୀ ଜିତିପାରିନାହାଁନ୍ତି |

Photo-AAJTAK

ଏହା ପରେ ଲଟେରୀ ଭାଗ୍ୟରେ ନଥିବା ଭାବି ସାଦିକ ୫ଟି ଟିକଟକୁ ଅଳିଆ ଗଦାକୁ ଫୋପାଡ଼ିଦେଇଥିଲେ | କିନ୍ତୁ ଜାନୁୟାରୀ ୩ ତାରିଖରେ ଯେଉଁଠାରୁ ସେ ଲଟେରୀ ଟିକଟ କିଣିଥିଲେ ସେହି ବିକ୍ରେତା ସାଦିକଙ୍କୁ କହିଥିଲେ ଯେ ୫ଟି ଲଟେରୀ ଟିକଟ ମଧ୍ୟରୁ ଗୋଟିକରେ ୧ କୋଟି ଟଙ୍କା ଜିତିଛନ୍ତି | ସାଦିକ ନିଜ ଘରେ ପହଂଚି ଯେତେବେଳେ ନିଜ ପତ୍ନୀକୁ ଏବାବଦରେ କହିଥିଲେ ସେତେବେଳେ ଦୁଇ ଜଣ ଖୁସିରେ ବିଭୋର ହୋଇପଡିଥିଲେ | ଏହା ପରେ ଦୁଇ ଜଣ ମିଶି ଅଳିଆ ଗଦାରୁ ଲଟେରୀ ଟିକଟ ଖୋଜିବାରେ ଲାଗିପଡ଼ିଥିଲେ |

ଶେଷରେ ଫିଙ୍ଗାଯାଇଥିବା ୫ଟି ଲଟେରୀ ଟିକଟ ମିଳିଥିଲା | ଯେଉଁଥିରୁ ଗୋଟିକରେ ତାଙ୍କୁ ଏକ କୋଟି ଟଙ୍କା ମିଳିଥିଲା | ବଡ କଥା ଯେ ଭାଗ୍ୟ ଦେବତା ସାଦିକଙ୍କ ଉପରେ ଏତେ ମାତ୍ରାରେ ପ୍ରସନ୍ନ ଥିଲେ ଯେ ଅନ୍ୟ ୪ଟି ଟିକଟରେ ୧ ଲକ୍ଷ ଟଙ୍କା ଯାଏଁ ମିଳିଛି | ଏବେ ସାଦିକ ୧ କୋଟି ୪ ଲକ୍ଷ ଟଙ୍କାକୁ କିଭଳି ଖର୍ଚ୍ଚ କରିବେ ସେ ନେଇ ଯୋଜନା କରୁଛନ୍ତି | ସାଦିକ ଓ ତାଙ୍କ ପତ୍ନୀ ଅମିନ କହିଛନ୍ତି ଯେ ପ୍ରଥମେ ସେମାନେ ଏକ ଏସୟୁଭି କାର କିଣିବେ, ଏହା ପରେ ତାଙ୍କ ପିଲାମାନଙ୍କୁ ଭଲ ସ୍କୁଲରେ ପଢ଼ାଇବେ | ଅମିନ କହିଛନ୍ତି ଯେ ଲଟେରୀରେ ଏତେ ଟଙ୍କା ମିଳିଥିବାରୁ ଏବେ ସେମାନେ ବହୁତ ଖୁସି | ତେବେ ଲଟେରୀ ଟଙ୍କା ମିଳିବାରେ ସମୟ ଲାଗିବ | ଆସନ୍ତା ୨ରୁ ୩ ମାସ ମଧ୍ୟରେ ଲଟେରୀ ଟଙ୍କା ମିଳିଯିବ |

ସମ୍ବନ୍ଧିତ ଖବର

Comments are closed.