ବେଙ୍ଗାଲୁରୁ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବେଙ୍ଗାଲୁରୁର ଟ୍ରାଫିକ୍ ପୁଲିସ୍ ଜନୈକ ପରିବା ବିକାଳିଙ୍କ ଠାରୁ ୪୨ ହଜାରରୁ ଅଧିକ ଟଙ୍କା ଆଦାୟ କରିବା ଘଟଣା ସଂପ୍ରତି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟ ପକ୍ଷରେ ସଂପୃକ୍ତ ପରିବା ବିକାଳି ଜଣକ ୭୭ଟି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଠାରୁ ୪୨,୫୦୦ ଟଙ୍କାର ଜରିମାନା ଆଦାୟ ପାଇଁ ଚାଲାଣ କଟା ଯାଇଛି ବୋଲି କହିଛି ବେଙ୍ଗାଲୁରୁ ଟ୍ରାଫିକ ପୁଲିସ୍।
ଟ୍ରାଫିକ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ସଂପୃକ୍ତ ପରିବା ବିକାଳି ଅରୁଣ କୁମାର ଟ୍ରାଫିକ ନିୟମକୁ ୭୭ ଥର ଉଲ୍ଲଂଘନ କରିଛନ୍ତି ଯେଉଁ କାରଣ ପାଇଁ ତାଙ୍କ ଉପରେ ସମୁଦାୟ ୪୨,୫୦୦ ଟଙ୍କାର ଆର୍ଥିକ ଜରିମାନା ଲଗାଯାଇଛି। ତେବେ, କର୍ଣ୍ଣାଟକର ବେଙ୍ଗାଲୁର ମାଡିଭାଲାର ବାସିନ୍ଦା ତଥା ପରିବା ବିକାଳି ଅରୁଣ କୁମାରଙ୍କ ଉପରେ ଟ୍ରାଫିକ୍ ପୁଲିସ୍ ଲଗାଇଥିବା ଜରିମାନା ରାଶି ସେ ଚଢ଼ୁଥିବା ସେକେଣ୍ଡ ହ୍ୟାଣ୍ଡ ସ୍କୁଟରର ମୂଲ୍ୟ ଠାରୁ ସୁଦ୍ଧା ଅଧିକ। ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ପୁଲିସ୍ ୪୨,୫୦୦ ଟଙ୍କାର ଜରିମାନା ଲଗାଇ ଯେଉଁ ଚାଲାଣ କାଟିଛି, ତାହାର ଲମ୍ବ ୨ ମିଟରରୁ ସୁଦ୍ଧା ଅଧିକ।
ଶୁକ୍ରବାର ଦିନ ହେଲମେଟ ନ ପିନ୍ଧି ସ୍କୁଟର ଚଳାଉଥିବା ବେଳେ ଅରୁଣ କୁମାରଙ୍କୁ ଟ୍ରାଫିକ ପୁଲିସ ଅଟକାଇଥିଲା। ପରେ ତାଙ୍କ ଉପରେ ୭୭ଟି ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୪୨,୫୦୦ ଟଙ୍କାର ଜରିମାନା ଆଦାୟ ପାଇଁ ଦୁଇ ମିଟର ଲମ୍ବର ଏକ ଚାଲାଣ ଧରାଇଥିଲା। ତେବେ, ଜରିମାନା ରାଶି ପ୍ରଦାନ ପାଇଁ ଅରୁଣ କୁମାର ସମୟ ମାଗିବାରୁ ପୁଲିସ ତାଙ୍କ ସ୍କୁଟରକୁ ଜବତ କରି ରଖିଥିବା ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁର ଅନ୍ୟଜଣେ ପରିବା ବିକାଳି ମଞ୍ଜୁନାଥ ଗୋଟିଏ ବର୍ଷ ମଧ୍ୟରେ ୭୦ ଥର ହେଲମେଟ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଠାରୁ ୧୫,୪୦୦ ଟଙ୍କାର ଜରିମାନା ଆଦାୟ କରା ଯାଇଥିଲା।