ଆର୍‌ବିଆଇ ରିପୋର୍ଟରେ ୨୦୧୭-୧୮ ଓ ୨୦୧୮-୧୯ର ଚିତ୍ର : ଓଡ଼ିଶାରେ ପନିପରିବା, ଫଳ ଉତ୍ପାଦନ ହ୍ରାସ

ନୂଆଦିଲ୍ଲୀ : ଗତ ମଙ୍ଗଳବାର ଦିନ ଆର୍‌ବିଆଇ ଦ୍ବାରା ପ୍ରକାଶିତ ‘ ହ୍ୟାଣ୍ଡବୁକ୍‌ ଅଫ୍‌ ଷ୍ଟାଟିଷ୍ଟିକ୍ସ ଅନ୍‌ ଇଣ୍ଡିଆନ୍‌ ଷ୍ଟେଟସ୍’ ରିପୋର୍ଟରେ ଓଡ଼ିଶାରେ ଫଳ ଓ ପନିପରିବା ଉତ୍ପାଦନକୁ ନେଇ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୦୧୭-୧୮ ମସିହା ତୁଳନାରେ ୨୦୧୮-୧୯ ମସିହାରେ ଏହି ରାଜ୍ୟରେ ଫଳ ଓ ପନିପରିବା ଉତ୍ପାଦନ ହ୍ରାସ ପାଇଛି। ୨୦୧୭-୧୮ରେ ଓଡିଶାରେ ୮୭୬୬.୮ ହଜାର ଟନ୍‌ ପନିପରିବା ଉତ୍ପାଦନ ହୋଇଥିବାବେଳେ ୨୦୧୮-୧୯ରେ ଏହା ୮୪୬୬.୨ ହଜାର ଟନ୍‌କୁ ଖସିଆସିଛି। ସେହିଭଳି, ୨୦୧୭-୧୮ରେ ଓଡିଶାରେ ୨୪୦୨.୩ ହଜାର ଟନ୍‌ ଫଳ ଉତ୍ପାଦନ ହୋଇଥିବାବେଳେ ଏହାର ପରିମାଣ ୨୦୧୮-୧୯ରେ ୨୩୬୧.୧ ହଜାର ଟନ୍‌କୁ ହ୍ରାସ ପାଇଛି। ରିପୋର୍ଟରେ ମଧ୍ୟ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିର ସମଗ୍ର ଚିତ୍ରକୁ ମଧ୍ୟ ଉପସ୍ଥାପନ କରାଯାଇଛି।

ଉପରୋକ୍ତ ବିଷୟ ସହିତ ରିପୋର୍ଟରେ ମଧ୍ୟ ଆହୁରି କିଛି ତଥ୍ୟ ରହିଛି। ଯେମିତିକି, ରାଜ୍ୟରେ ବ୍ୟବସାୟିକ ବ୍ୟାଙ୍କମାନଙ୍କ ଦ୍ୱାରା କୃଷି ପାଇଁ ୨୦୧୭, ୨୦୧୮ ଓ ୨୦୧୯ ପାଇଁ ଯଥାକ୍ରମେ ୧୭୧୦୦ କୋଟି ଟଙ୍କା, ୧୮୦୦୦ କୋଟି ଟଙ୍କା ଓ ୧୯୪୬୬ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବାର ଉଲ୍ଲେଖ କରାଯାଇଛି। ରାଜ୍ୟରେ ଶିଳ୍ପ ପାଇଁ କୃଷି ତୁଳନାରେ ଗତ ତିନି ବର୍ଷରେ ବ୍ୟବସାୟିକ ବ୍ୟାଙ୍କମାନଙ୍କ ଦ୍ୱାରା ଅଧିକ ଋଣ ପ୍ରଦାନ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି, ଶିଳ୍ପ ପାଇଁ ୨୦୧୭ରେ ୨୯୦୦୦ କୋଟି ଟଙ୍କା, ୨୦୧୮ରେ ୨୮୪୦୦ କୋଟି ଟଙ୍କା ଓ ୨୦୧୯ରେ ୩୨୬୬୨ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ରିପୋର୍ଟରେ ରାଜ୍ୟରେ ୨୦୧୯ରେ ମୋଟ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ୯୯୪ଟି ଶାଖା କାର୍ଯ୍ୟ କରୁଥିବାର ଉଲ୍ଲେଖ ଅଛି। ଏଥିସହିତ, ରିପୋର୍ଟରେ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ଓଡ଼ିଶାରେ ୧୩୩୩୧୫ କୋଟି ଟଙ୍କାର ବକେୟା ଋଣ ବୋଝ (ଆଉଟ୍‌ଷ୍ଟାଣ୍ଡିଂ ଲାଏବିଲିଟସ୍) ରହିଥିବାର ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର