ଦିଲ୍ଲୀ ବଜାରରେ ମିଳୁଥିବା ପରିବାପତ୍ରରେ ରହିଛି ବିଷାକ୍ତ ଧାତୁ

ନୂଆଦିଲ୍ଲୀ: ଯମୁନା ନଦୀକୂଳସ୍ଥିତ ପାଳରେ ଫଳୁଥିବା ପନିପରିବାରେ ବହୁ ପରିମାଣର ସୀସା ରହୁଥିବାରୁ ସେସବୁକୁ ଦୀର୍ଘ ଦିନ ଧରି ଖାଇଲେ କର୍କଟ ରୋଗ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ଯିବାର ସମ୍ଭାବନା ରହିଥିବା କଥା ‘ନେସ୍‌ନାଲ୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ଇଞ୍ଜିନିୟରିଙ୍ଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ କରିଥିବା ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

ଏହି ପନିପରିବାକୁ ଆଜାଦପୁର, ଗାଜିପୁର ଏବଂ ଓଖଲା ଠାରେ ଥିବା ବଡ଼ ବଡ଼ ପାଇକାରୀ ବଜାରକୁ ଯୋଗାଇ ଦିଆଯାଉଛି, ଏବଂ ସେଠାରୁ ସେସବୁ ପଠାଯାଉଛି ସାପ୍ତାହିକ ହାଟ ଏବଂ ସମଗ୍ର ସହରରେ ଥିବା ଛୋଟବଡ଼ ଦୋକାନଗୁଡ଼ିକୁ। ସବୁଠୁ ଅଧିକ ପରିବା ଯାଉଛି ଦିଲ୍ଲୀକୁ।

ପୂର୍ବ ଦିଲ୍ଲୀର ଗୀତା କଲୋନିରୁ ସଂଗୃହୀତ ଧନିଆପତ୍ରରେ ସବୁଠୁ ଅଧିକ ସୀସା ଥିବା କଥା ଜଣାପଡ଼ିଛି। କେବଳ ବନ୍ଧାକୋବିକୁ ଛାଡ଼ି ଦେଲେ ଦୋକାନମାନଙ୍କରୁ ସଂଗ୍ରହ କରାଯାଇଥିବା ବାକି ସମସ୍ତ ପନିପରିବାରେ ମାତ୍ରାଧିକ ସୀସା ଥିବା ଜଣାପଡ଼ିଛି। ସେଥିରୁ ପ୍ରତି କିଲୋ ପାଳଙ୍ଗ ଶାଗରେ ସୀସାର ପରିମାଣ ଥିଲା ୧୪. ୧ ମିଲିଗ୍ରାମ୍‌। ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଧାର୍ଯ୍ୟ କରିଥିବା ନିରାପଦ ସୀସାର ପରିମାଣ ହେଉଛି କିଗ୍ରା ପ୍ରତି ୨. ୫ ମିଲିଗ୍ରାମ୍‌। ପାଳଗୁଡ଼ିକରୁ ସଂଗୃହୀତ ପନିପରିବା ନମୁନାରେ ୨. ୫ ମିଲିଗ୍ରାମ୍‌ରୁ ୧୩. ୮ ମିଲିଗ୍ରାମ୍‌ ଯାଏଁ ସୀସା ରହୁଛି।

Image Source: Times of India

ବିଭିନ୍ନ ଅଞ୍ଚଳରୁ ଅନ୍ୟୂନ ସାତ ପ୍ରକାରର ଶୀତଦିନିଆ ପରିବା ସଂଗ୍ରହ କରି ସେଥିରେ ଥିବା ସୀସା, ପାରଦ, ନିକେଲ୍‌ ଏବଂ କାଡ୍‌ମିମମ୍‌ର ପରିମାଣ ଯାଞ୍ଚ କରିଥିଲା ‘ନେସ୍‌ନାଲ୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ଇଞ୍ଜିନିୟରିଙ୍ଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’। ଏଥିରୁ ସୀସାର ପରିମାଣ ରହିଛି ସବୁଠୁ ଅଧିକ।

ଅଧିକ ଧାତୁ ଜନିତ ବିଷକ୍ରିୟା ଯୋଗୁଁ ଶରୀରରେ ଶକ୍ତିସ୍ତର ହ୍ରାସ ପାଇବା ସହ ମସ୍ତିଷ୍କ, ଫୁସ୍‌ଫୁସ୍‌, ବୃକ୍କ ଏବଂ ଯକୃତ୍‌ର କାର୍ଯ୍ୟଦକ୍ଷତା ନଷ୍ଟ ହୋଇଥାଏ। ଏଥିଯୋଗୁଁ ରକ୍ତର ମିଶ୍ରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟ ଅକାମି ହୋଇପାରେ। ଦୀର୍ଘ ଦିନ ଧରି ଏହି ପରିବାପତ୍ର ଖାଇଲେ କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

ସମ୍ବନ୍ଧିତ ଖବର