ପେଟ୍ରୋଲ-ଡିଜେଲ ହେବ ଶସ୍ତା, ଆଗକୁ ସ୍ବେରେଜ ପାଣିରେ ଚାଲିବ କାର: ନୀତିନ ଗଡକରୀ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ୧୦୦ ଟଙ୍କାରେ ୧୦୦ କିଲୋମିଟର ଯାତ୍ରା କରିବାକୁ କୁହାଯାଏ, ଅପଣ ଭାବିବେ ପାଗଳାମୀ । ପେଟ୍ରୋଲ , ଡିଜେଲର ଆକାଶ ଛୁଆଁ ଦର ଭିତରେ ଏହା କାଳ୍ପନିକ କଥା ଭଳି ଲାଗିବ ନିଶ୍ଚୟ । ହେଲେ ସେ ଦିନ ପାଖେଇ ଆସୁଛି, ଯେବେ କାଳ୍ପନିକ ମନେହେଉଥିବା ଏହି କଥା ସତ ହେବ । ଏହି ଦାବି କରିଛନ୍ତି ଖୋଦ୍ ସଡ଼କ ପରିବହନ ମନ୍ତ୍ରୀ । ହେଲେ ଏହା ସମ୍ଭବ ହେବ କିପରି?

ସୂଚନା ମୁତାବକ, ଏଥର ପେଟ୍ରୋଲ ଡିଜେଲରୁ ମିଳିବ ମୁକ୍ତି ମିଳିବା ସହ ପାଣିରେ ଗଡିବ ଗାଡି । କାରଣ ଖୁବ୍ ଶୀଘ୍ର ଏକ ହାଇଡ୍ରୋଜେନ ଚାଳିତ କାର ଆଣିବେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଦେଶରେ ଖୁବଶୀଘ୍ର ବଜାରକୁ ଆସିବ ହ୍ରାଇଡ୍ରୋଜେନରେ ଚାଲୁଥିବା କାର । ଏହାକୁ ନେଇ ଖୁଲାସା କରିଛନ୍ତି ନିଜେ ଗଡକରୀ । ସେ କହିଛନ୍ତି ଯେ, ଏବେ ଗ୍ରୀନ ହାଇଡ୍ରୋଜେନର ସମୟ ଆସିଯାଇଛି । ଖୁବ ଶୀଘ୍ର ରାସ୍ତାରେ ଗଡିବ ହ୍ରାଇଡ୍ରୋଜେନ୍ ଚାଳିତ କାର । ଭାରତୀୟ ବୈଜ୍ଞାନୀକଙ୍କୁ ପ୍ରଶଂସା କରିବାକୁ ଯାଇ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବ ଶୀଘ୍ର ତାଙ୍କ ପାଖରେ ଏକ ସ୍ୱତନ୍ତ୍ର କାର ଥିବ, ଯାହାକି ଗ୍ରୀନ ହାଇଡ୍ରୋଜେନରେ ଚାଲିବ । ଏକଥାକୁ ଲୋକେ ବିଶ୍ୱାସ ନକଲେ ବି ସତ ହେବାକୁ ଯାଉଛି । ଯେବେ ସେ ନିଜେ ଦିଲ୍ଲୀ ରାସ୍ତାରେ ଏହି କାର ନେଇ ବୁଲିବେ ସେତେବେଳେ ଲୋକଙ୍କୁ ବିଶ୍ୱାସ ହୋଇଯିବ ଯେ, ସତରେ ପାଣିରେ ଚାଲିପାରିବ କାର । ଏହି କାର ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ହେବ ବୋଲି ସେ କହିଛନ୍ତି ।

ଗଡକରୀଙ୍କ କହିବା ମୁତାବକ, ଭାରତରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର କରିବାକୁ ପାଇଲଟ୍ ପ୍ରୋଜେକ୍ଟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରିପୋର୍ଟ ମୁତାବକ, ଗଡକରୀ କହିଛନ୍ତି ଯେ, ମହାନଗରୀରୁ ଦୈନିକ ବାହାରୁଛି ଲକ୍ଷଲକ୍ଷ କ୍ୱିସେକ୍ ସ୍ବେରେଜ ପାଣି । ହେଲେ ଏବେ ଏହି ସ୍ବେରେଜ ପାଣିକୁ ବ୍ୟବହାର କରି ରାସ୍ତାରେ ଗାଡି ଚାଲିବ । ପ୍ଳାଣ୍ଟରେ ଏହାକୁ ପ୍ରକିୟାକରଣ କରାଯାଇ ଏଥିରୁ ହାଇଡ୍ରୋଜେନକୁ ଅଲଗା କରାଯିବ । ଏହି ହାଇଡ୍ରୋଜେନକୁ ଗାଡିରେ ଇନ୍ଧନ ଭାବେ ବ୍ୟବହାର କରାଯିବ । ଏଥିପାଇଁ ଫରିଦାବାଦରେ ଏକ ଅଏଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ଗଡକରୀ କହିଛନ୍ତି ।

ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ଭାରତ ଏକ ପ୍ରଦୂଷଣମୁକ୍ତ ଦେଶ ହେବା ପଥରେ ଆଗେଇବା ନିଶ୍ଚୟ । ଏହାସହ ଅନେକ ସହର ମଧ୍ୟ ସ୍ୱଚ୍ଛ ରହିବା ପାଇଁ ବାଟ ଖୋଲିବ ।

ସମ୍ବନ୍ଧିତ ଖବର