ଜୁନ୍‌ ୧ରୁ ଗାଡ଼ି ବୀମା ପ୍ରିମିୟମ୍‌ ବଢ଼ିବ

ଇଭି, ହାଇବ୍ରିଡ୍‌ କାର୍‌, ଶିକ୍ଷାନୁଷ୍ଠାନ ବସ୍‌କୁ ରିହାତି

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ପରେ ପ୍ରଥମ ଥର ଲାଗି ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ରେ ସଂଶୋଧନ କରାଯାଇଛି। ଶେଷ ଥର ପାଇଁ ୨୦୧୯-୨୦ରେ ବୀମା ପ୍ରିମିୟମ୍ ଦର ସଂଶୋଧନ କରାଯାଇଥିଲା। ପ୍ରାୟ ସବୁ ପ୍ରକାର ଗାଡ଼ିର ବାର୍ଷିକ ପ୍ରିମିୟମ୍ ଦର ବୃଦ୍ଧି କରାଯାଇଛି। ଫଳ‌ରେ ଆସନ୍ତାମାସରୁ ଗାଡ଼ି ମାଲିକଙ୍କୁ ତୃତୀୟ ପକ୍ଷ ବୀମା ଭା‌ବେ ଅଧିକ ରାଶି ଗଣିବାକୁ ହେବ। ତେବେ ଇଲେକ୍ଟ୍ରିକ୍ ଯାନ, ହାଇବ୍ରିଡ୍‌ ଯାନ ଉପରେ ଯଥାକ୍ରମେ ୧୫% ଓ ୭.୫%ର ରିହାତି ମିଳିବ। ଶିକ୍ଷାନୁଷ୍ଠାନ ବସ୍‌ଗୁଡ଼ିକ ମଧ୍ୟ ପ୍ରିମିୟମ୍ ଉପରେ ୧୫% ରିହାତି ପାଇପାରିବେ। ଭିଣ୍ଟେଜ୍ କାର୍ ଭାବେ ପଞ୍ଜୀକୃତ ହୋଇଥିବା ଘରୋଇ କାର୍‌ ପ୍ରିମିୟମ୍‌ରେ ୫୦%ର ରିହାତି ପାଇଁ ଅନୁମତି ଦିଆଯାଇଛି ।

୧୦୦୦ ସିସି ପର୍ଯ୍ୟନ୍ତର ନୂଆ କାର୍‌ ପାଇଁ ବାର୍ଷିକ ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ୨୨ ଟଙ୍କା ବୃଦ୍ଧି ପାଇ ୨,୦୯୪ ଟଙ୍କା ହୋଇଥିବା ବେଳେ ୧୦୦୦-୧୫୦୦ ସିସି କାର୍‌ର ପ୍ରିମିୟମ୍ ୧୯୫ ଟଙ୍କା ବୃଦ୍ଧି ପାଇ ୩,୪୧୬ ଟଙ୍କା ଓ ୧୫୦୦ ସିସିରୁ ଅଧିକ ଇଞ୍ଜିନ ଲାଗିଥିବା କାର୍‌ର ବୀମା ପ୍ରିମିୟମ୍‌ ୭ ଟଙ୍କା ବୃଦ୍ଧି ପାଇ ୭,୮୯୭ ଟଙ୍କା କରାଯାଇଛି। ୭୫ ସିସିରୁ କମ୍ ଦୁଇ ଚକିଆ ଗାଡ଼ ପାଇଁ ବାର୍ଷିକ ପ୍ରିମିୟମ୍ ୫୩୮ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୭୫-୧୫୦ ସିସି ପର୍ଯ୍ୟନ୍ତ ଗାଡ଼ିର ପ୍ରିମିୟମ୍ ୭୧୪ ଟଙ୍କାକୁ, ୧୫୦-୩୫୦ ସିସି ଗାଡ଼ିର ପ୍ରିମିୟମ୍ ୧,୩୬୬ ଟଙ୍କା ଓ ୩୫୦ ସିସିରୁ ଅଧିକ ଶକ୍ତିଶାଳୀ ବାଇକ୍‌ର ପ୍ରିମିୟମ୍ ୨୮୦୪ ଟଙ୍କାକୁ ବୃଦ୍ଧି ପାଇଛି।

୩୦ କିଲୋୱାଟ୍‌ରୁ କମ୍ ଇଲେକ୍ଟ୍ରିକ୍ ପ୍ରାଇଭେଟ୍‌ କାର୍‌ର ବୀମା ପ୍ରିମିୟମ୍‌ ୧୭୮୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୩୦-୬୫ କିଲୋୱାଟ୍‌ ପାଇଁ ତାହା ୨୯୦୪ ଟଙ୍କା ରଖାଯାଇଛି। ୬୫ କିଲୋୱାଟ୍‌ରୁ ଅଧି ଶକ୍ତିଶାଳୀ କାର୍‌ର ପ୍ରିମିୟମ୍ ୬୭୧୨ ଟଙ୍କା ରଖାଯାଇଛି। ୩ କିଲୋୱାଟ୍‌ରୁ କମ୍ ଶକ୍ତି ବିଶିଷ୍ଟ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ବୀମା ପ୍ରିମିୟମ୍ ୪୫୭ ଟଙ୍କା ରଖାଯାଇଥିବା ବେଳେ ୩-୭ କିଲୋୱାଟ୍ ଇଭି ଦୁଇଚକିଆର ପ୍ରିମିୟମ୍‌ ୧,୧୬୧ ଟଙ୍କା ଓ ୧୬ କିଲୋୱାଟ୍‌ରୁ ଅଧିକ ଶକ୍ତିଶାଳୀ ଗାଡ଼ିର ବାର୍ଷିକ ପ୍ରିମିୟମ୍ ୨,୩୮୩ ଟଙ୍କା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ର ନୂତନ ଦର ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର