ରାଜ୍ୟସଭାରେ କାନ୍ଦି ପକାଇଲେ ଭେଙ୍କୟା

ନୂଆଦିଲ୍ଲୀ : ଗୃହରେ ଗତକାଲି ବିରୋଧୀ ସଭ୍ୟମାନେ ଯେଉଁଭଳି ହଙ୍ଗାମା କରିଥିଲେ ତାକୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ନାଇଡ଼ୁ ଗତକାଲିର ଘଟଣାରେ ଉଦବେଗ ପ୍ରକାଶ କରିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ। କହିଥିଲେ, ଗୃହର ପବିତ୍ରତାକୁ ଯେଉଁଭଳି ଭାବେ ନଷ୍ଟ କରାଯାଉଛି ସେଥିରେ ମୁଁ ଖୁବ୍‌ ଦୁଃଖିତ। ଏଭଳି ଘଟଣାରେ ଦୁଃଖ ପ୍ରକାଶ କରିବାପାଇଁ କିମ୍ବା ନିନ୍ଦା କରିବାପାଇଁ ତାଙ୍କ ପାଖରେ କିଛି ଭାଷା ନାହିଁ। ଗତକାଲି ରାତିରେ ସେ ଶୋଇପାରିନଥିବା କହିଛନ୍ତି। ଏକଥା କହିବା‌ ସମୟରେ ନାଇଡୁ ତାଙ୍କ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ।

ଗତକାଲି ଗୃହରେ ଯେଉଁ ବିରୋଧୀ ଦଳ ନେତାମାନେ ହୋହାଲ୍ଲା ଏବଂ ହଙ୍ଗାମା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନାଇଡୁ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ, ଗୃହର ନେତା ପୀ‌ୟୂଷ ଗୋୟଲ ଏବଂ ବିଜେପି ସାଂସଦଙ୍କ ସହ ବୈଠକ କରିବାପରେ ନାଇଡୁ ଆଜି ଏହି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତକାଲି କଂଗ୍ରେସ, ଟିଏମ୍‌ସି ଏବଂ ଆପ୍‌ ଦଳର ନେତାଙ୍କ ସହ ଅନ୍ୟ ବିରୋଧୀ ନେତାମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ୍‌ ଦେଇଥିଲେ। କଂଗ୍ରେସ ନେତା ପ୍ରତାପ ସିଂହ ବଜୱା ଟେବୁଲ୍‌ ଉପରକୁ ଚଢ଼ିଯାଇ ସରକାରୀ ଫାଇଲ୍‌ ଫୋପାଡ଼ି ଦେଇଥିଲେ। ଅନେକ ବିରୋଧୀ ନେତା ଟେବୁଲ୍‌ ଉପରକୁ ଚଢ଼ି ଯାଇଥିଲେ।

ସମ୍ବନ୍ଧିତ ଖବର