କାମ ନାହିଁ ତ ଭୋଜି ନାହିଁ, ରାଜ୍ୟସଭା ଚାଲିପାରୁନଥିବାରୁ ସଦସ୍ୟମାନଙ୍କ ପାଇଁ ଆୟୋଜିତ ଡିନରକୁ ବାତିଲ କଲେ ଭେଙ୍କିଆ

ନୂଆଦିଲ୍ଲୀ: କାମ ନାହିଁ ତ ଭୋଜି ନାହିଁ । ସଂସଦର ଉଚ୍ଚସଦନ ରାଜ୍ୟସଭାରେ କ୍ରମାଗତ ଅଚଳାବସ୍ଥା ଯୋଗୁଁ ଭୀଷଣ ବିରକ୍ତ ହୋଇଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କିଆ ନାଇଡୁ । ଏଥିପାଇଁ ବୁଧବାରଦିନ ସେ ରାଜ୍ୟସଭା ସଦସ୍ୟମାନଙ୍କ ପାଇଁ ଆୟୋଜନ କରିଥିବା ନୈଶ୍ୟଭୋଜିକୁ ବାତିଲ କରିଦେଇଛନ୍ତି । ରାଜ୍ୟସଭାରେ ଗତ ଦୁଇ ସପ୍ତାହ ଧରି ଅଚଳାବସ୍ଥା ଚାଲିଛି । ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ନାଇଡୁ ପ୍ରାୟ ସବୁଦିନ ଅନୁରୋଧ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି । ଆଜି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଇରାକର ମୋସୁଲରେ ୩୯ ଜଣ ଭାରତୀୟଙ୍କୁ ଆଇସିସ୍‌ ପକ୍ଷରୁ ହତ୍ୟା କରାଯିବାର ଦୁଃଖଦ ଖବର ସଦନକୁ ଜଣାଇବାବେଳେ ମଧ୍ୟ ଅନେକ ବିରୋଧୀଦଳ ସଦସ୍ୟ ହୋହାଲ୍ଲା କରୁଥିଲେ । ଏଣୁ ସେ ଭୀଷଣ ବିରକ୍ତ ହୋଇଯାଇଛନ୍ତି । ବିରକ୍ତ ହୋଇ ସେ ବୁଧବାରଦିନ ଆୟୋଜିତ ନୈଶ୍ୟଭୋଜିକୁ ବାତିଲ କରିଦେଇଛନ୍ତି । ଏହି ଭୋଜି ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଥିଲା । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟସଭାରେ ଶାସକ ଦଳ ନେତା, ବିରୋଧୀଦଳ ନେତାଙ୍କୁ ମଧ୍ୟ ଏହି ଭୋଜି ସଂପର୍କରେ ନାଇଡୁ ମହାଶୟ ଜଣାଇସାରିଥିଲେ । କେବଳ ନିମନ୍ତ୍ରଣ ପତ୍ର ଆଜି ବଣ୍ଟା ହୋଇଥାନ୍ତା । କିନ୍ତୁ ଏହାକୁ ବାତିଲ କରିଦିଆଯାଇଛି । ଏହି ନିଷ୍ପତ୍ତି ସଂପର୍କରେ ଉପରାଷ୍ଟ୍ରପତି ଅଫିସ ତରଫରୁ ସମସ୍ତଙ୍କୁ ଜଣାଇଦିଆଯାଇଛି । କେବଳ ଏତିକି ନୁହେଁ ସେ ରାଜ୍ୟସଭା ସଦସ୍ୟମାନଙ୍କ ମଧ୍ୟରେ ହେବାକୁ ଥିବା ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବାତିଲ କରାଯାଇଛି ।

ସମ୍ବନ୍ଧିତ ଖବର