ବହୁ ରାଜ୍ୟରେ ଭେଣ୍ଟିଲେଟର ଅକାମୀ, କେଉଁଠି ଯନ୍ତ୍ରାଂଶ ଅଭାବ ତ କେଉଁଠି ପ୍ରଶିକ୍ଷିତ କର୍ମଚାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିରୁ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟରକୁ କେନ୍ଦ୍ରକରି ରାଜନେତାଙ୍କ ଭିତରେ ତମ୍ବିତୁଫାନ ଜାରି ରହିଥିବା ବେଳେ ତାହାର ପ୍ରକୃତ ଚିତ୍ର ଏବେ ସାମନାକୁ ଆସିବାରେ ଲାଗିଛି। ସେଗୁଡ଼ିକୁ ଚଳାଇବା ପାଇଁ କିଛି ରାଜ୍ୟରେ ଆବଶ୍ୟକ ସଂଖ୍ୟକ ପ୍ରଶିକ୍ଷିତ କର୍ମଚାରୀ ନଥିବା ବେଳେ କେଉଁଠି ତାହା ଚାଲିବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶର ଅଭାବ ଥିବାରୁ ତାହା ସେମିତି ଅକାମୀ ପ୍ରାୟ ପଡ଼ିରହିଛି ବୋଲି କିଛି ରାଜ୍ୟ ଅଭିଯୋଗ କରିଛନ୍ତି। ଏପରିକି କେତେକ ରାଜ୍ୟରେ ଭେଣ୍ଟିଲେଟର ଥିଲେ ହେଁ ତାହା ଖଞ୍ଜିବା ପାଇଁ ଆଇସିୟୁ ସୁବିଧା କି ଅନୁରୂପ ଭିତ୍ତିଭୂମି ନଥିବାରୁ ସେଗୁଡ଼ିକ ବିନିଯୋଗ ହୋଇପାରୁନାହିଁ ବୋଲି କେହି କେହି କହିଛନ୍ତି।

ଟାଇମ୍‌ସ ଅଫ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ପଞ୍ଜାବର ୩ଟି ମେଡିକାଲ୍‌ କଲେଜକୁ ଏପରି ପିଏମ୍‌ଙ୍କ କେୟାର୍ସ ପାଣ୍ଠିରୁ ୩୨୦ଟି ଭେଣ୍ଟିଲେଟର ଦିଆଯାଇଥିବା ଜଣାପଡ଼ିଛି। ସେଥିରୁ ମାତ୍ର ୮୩ଟି କାର୍ଯ୍ୟକ୍ଷମ ଥିଲା ବେଳେ ତାହା ଭିତରୁ ୪୮ଟିକୁ ଏବେ ସଜଡ଼ା ଯାଇଥିବାରୁ କାର୍ଯ୍ୟଦକ୍ଷତାରେ ଡାକ୍ତରମାନେ ଆଶଙ୍କା ପ୍ରକଟ କରି ସେଗୁଡ଼ିକ ବ୍ୟବହାର କରୁନାହାନ୍ତି। ସେହିପରି ବିହାରର ୧୩ଟି ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ୧୨୯ଟି ଭେଣ୍ଟିଲେଟର ମଧ୍ୟରୁ ପ୍ରାୟ ଅଧାଅଧି ଆବଶ୍ୟକ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବରୁ ଅଚଳ ହୋଇ ପଡ଼ି ରହିଛି। ଉତ୍ତରପ୍ରଦେଶକୁ ମଧ୍ୟ ମିଳିଥିବା ୨୦୦ ସଂଖ୍ୟକ ଏହି ଜୀବନ ରକ୍ଷାକାରୀ ସରଞ୍ଜାମରୁ ପ୍ରାୟ ୨୦ ପ୍ରତିଶତ ଅନୁରୂପ କାରଣରୁ ବ୍ୟବହାରରେ ଆସୁନଥିବା ଜଣାଯାଇଛି। ସେହିପରି କର୍ଣ୍ଣାଟକ ମଧ୍ୟ ଗ୍ରହଣ କରିଥିବା ଏଭଳି ୨,୦୨୫ ଭେଣ୍ଟିଲେଟରରୁ ୮୦ ପ୍ରତିଶତ କେବଳ ମାନବ ସମ୍ବଳ ଅଭାବରୁ କାମରେ ଆସିପାରୁନାହିଁ। ଓଡ଼ିଶାରେ ସଂପୃକ୍ତ ଭେଣ୍ଟିଲେଟରଗୁଡ଼ିକ ଚଳାଇବା ପାଇଁ ନୋଜଲ୍‌ସ ଓ ଫ୍ଳୋ ସେଣ୍ଟର୍ସ ପରି ସଂଲଗ୍ନ ଯନ୍ତ୍ରାଂଶ ନଥିବାରୁ ତାହା ଚାଲିପାରୁନି ବୋଲି ଡାକ୍ତରମାନେ କହିଛନ୍ତି। ଅପରପକ୍ଷେ, ରାଜସ୍ଥାନରେ ୧,୯୦୦ ଭେଣ୍ଟିଲେଟରରୁ ମାତ୍ର ୫୦୦ଟି ଖଞ୍ଜା ଯାଇଥିବା ବେଳେ ବାକିତକ କାଳେ କିଛି ଭୁଲ୍‌ ଫଳାଫଳ ମିଳିବ ଆଶଙ୍କା କରି ବ୍ୟବହାର କରାଯାଉନାହିଁ। ଏଣେ ଭେଣ୍ଟିଲେଟରଗୁଡ଼ିକ ନିମ୍ନମାନର ବୋଲି ପଞ୍ଜାବ ସରକାର ଅଭିଯୋଗ ଆଣିଥିବା ବେଳେ ସେଗୁଡ଼ିକ ପରିଚାଳନା କରିବାରେ ସେମାନେ ଅପାରଗ ବୋଲି କେନ୍ଦ୍ର ସରକାର ଦୋଷ ଲଦିଛନ୍ତି।

ସମ୍ବନ୍ଧିତ ଖବର