ବୟୋଜ୍ୟେଷ୍ଠ ରୋଗୀଙ୍କୁ କାମ ଦେଉନି ଭେଣ୍ଟିଲେଟର
ୱାସିଂଟନ: ଭେଣ୍ଟିଲେଟର ସହାୟତାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବୟସ୍କ କୋଭିଡ୍-୧୯ ରୋଗୀଙ୍କର ବଞ୍ଚିବା ଆଶା କ୍ଷୀଣ। ସ୍ବାସ୍ଥ୍ୟ ପତ୍ରିକା ‘ଲାନ୍ସେଟ୍’ରେ ପ୍ରକାଶିତ ଏ ସଂକ୍ରାନ୍ତ ଆଲେଖ୍ୟକୁ ୱାସିଂଟନ ପୋଷ୍ଟ ମଧ୍ୟ ସ୍ଥାନ ଦେଇଛି। ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ହୃଦ୍ରୋଗରେ ପୀଡି଼ତ ଥିବା ଅତି ବରିଷ୍ଠ ନାଗରିକମାନେ ଯଦି କୋଭିଡ୍-୧୯ରେ ପଡନ୍ତି, ତେବେ ସେମାନଙ୍କୁ ଯେତେ ଭେଣ୍ଟିଲେଟର ସହାୟତା ଦେଲେ ବି ସେମାନଙ୍କର ଆରୋଗ୍ୟ ଆଶା ନଗଣ୍ୟ। ନ୍ୟୁୟର୍କର ଦୁଇଟି ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହିପରି ସଂଖ୍ୟାଧିକ ରୋଗୀଙ୍କର ମୃତ୍ୟୁକୁ ଅନୁଧ୍ୟାନ କରି ଏପରି ଟିପ୍ପଣୀ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅନୁଧ୍ୟାନରେ ଚିକିତ୍ସା ବିଶେଷଜ୍ଞମାନେ ଗତ ମାର୍ଚ୍ଚ ୨ ଓ ଏପ୍ରିଲ ୧ ଭିତରେ ଭର୍ତ୍ତି ହୋଇଥିବା ମୋଟ ୨୫୭ ଜଣ ଅତି ଗୁରୁତର କୋଭିଡ୍-୧୯ ରୋଗୀଙ୍କୁ ଅହରହ ନିରୀକ୍ଷଣରେ ରଖିଥିଲେ। ସେମାନଙ୍କ ଭିତରୁ ୩୦ ବର୍ଷରୁ କମ୍ ବୟସ୍କମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଏପ୍ରିଲ୍ ୨୮ ସୁଦ୍ଧା ୩୯ ପ୍ରତିଶତ ରୋଗୀ ଆଖି ବୁଜିଥିଲେ। ତେବେ ୮୦ ବର୍ଷରୁ ଅଧିକ ବୟସ୍କ ରୋଗୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କର ହିଁ ମୃତ୍ୟୁ ଘଟିଥିଲା। ଏ ପରିପ୍ରେକ୍ଷୀରେ ବୟୋଜ୍ୟେଷ୍ଠ କୋଭିଡ୍ ରୋଗୀମାନଙ୍କୁ ଭେଣ୍ଟିଲେଟରରେ ରଖିବା ପୂର୍ବରୁ ସେମାନଙ୍କ ଆତ୍ମୀୟ ସ୍ୱଜନ ସେମାନଙ୍କ ବାସ୍ତବ ସ୍ଥିତି ଉପରେ ବିଚାର କରିବା ଉଚିତ ବୋଲି ନର୍ଥଓ୍ବେଲ୍ ହେଲ୍ଥର ପ୍ରମୁଖ ଚିକିତ୍ସାବିତ୍ ଡା. ଥମାସ ମାକ୍ଗିନ୍ ଏହି ଆଲେଖ୍ୟରେ ସୂଚାଇଛନ୍ତି।