କାରାକାସ(ଭେନେଜୁଏଲା): ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଦାରିଦ୍ର ଏବେ ଉତ୍କଟ ରୂପ ଧାରଣ କରିଛି। ମୁଠେ ଖାଇବାକୁ ନପାଇ ଲକ୍ଷଲକ୍ଷ ଲୋକ ପଡ଼ୋଶୀ ଦେଶ କଲମ୍ବିଆକୁ ଛୁଟୁଛନ୍ତି। ଆର୍ଥିକ କ୍ଷେତ୍ରରେ ସେତେଟା ଉନ୍ନତ ନଥିବା କ୍ଷୁଦ୍ର ଦେଶ କଲମ୍ବିଆରେ ପହଞ୍ଚିଥିବା ମାତ୍ରାଧିକ ଶରଣାର୍ଥୀଙ୍କ ଯୋଗୁଁ ସେଠାରେ ମଧ୍ୟ ଖାଦ୍ୟର ସମସ୍ୟା ଦେଖାଗଲାଣି। ଦୀର୍ଘ ବର୍ଷ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭେନେଜୁଏଲାରେ ମୁଦ୍ରାର ମୂଲ୍ୟ ଏତେ ହ୍ରାସ ପାଇଯାଇଛି ବିଭିନ୍ନ ସାମଗ୍ରୀର ଦରଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଖଣ୍ଡିଏ ରୁଟିର ମୂଲ୍ୟ ଏବେ ହଜାର ହଜାର ଟଙ୍କା ହୋଇଥିବା ବେଳେ କ୍ଷୀର ଲିଟର ପିଛା ୮୦ରୁ ୯୦ ହଜାର ଟଙ୍କା ଏବଂ ମାଂସ କିଲୋ ପିଛା ୩ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଦେଶର ଏଭଳି ଆର୍ଥିକ ସଙ୍କଟ ସାଙ୍ଗକୁ ବିଭିନ୍ନ ମହାମାରୀରେ ଲୋକେ ଆକ୍ରାନ୍ତ। ଔଷଧ ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କା ନଥିବାରୁ ଲୋକେ ପୋକ ମାଛି ପରି ମରୁଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ଅନ୍ୟ ଦେଶକୁ ଚାଲିଯିବାକୁ ସରକାର କହିସାରିଲେଣି। ଲୋକେ ଜୀବନ ବିକଳରେ ପଡ଼ୋଶୀ କଲମ୍ବିଆ ଓ ବ୍ରାଜିଲକୁ ଚାଲିଯାଉଥିବା ବେଳେ ସେଠାରେ ମଧ୍ୟ ସମସ୍ୟା ବଢ଼ିଚାଲିଛି। ବ୍ରାଜିଲ ସରକାର ତାଙ୍କ ସୀମାରେ ଭେନେଜୁଏଲା ଅଧିବାସୀଙ୍କୁ ପୂରାଇ ନଦେବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱର ସବୁଠୁ ବଡ଼ ତୈଳ ଭଣ୍ଡାର ଥିବା ଭେନେଜୁଏଲାରେ ଏଭଳି ଆର୍ଥିକ ସଙ୍କଟ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଗତବର୍ଷ ଅଶୋଧିତ ତୈଳଦରରେ ୨୬ଶହ ପ୍ରତିଶତ ହ୍ରାସ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିିଛି। ଦୈନିକ ୨୦ ହଜାରରୁ ଅଢ଼େଇ ଲକ୍ଷ ବ୍ୟାରେଲ ଯାଏଁ ତୈଳ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ତେବେ ସରକାରଙ୍କ ଭୁଲ୍ ନୀତି ଓ ଯୋଜନା ଯୋଗୁଁ ଏଭଳି ଉପୁଜିଛି। ସେପେଟ ଆର୍ଥିକ ସଙ୍କଟ ଯୋଗୁଁ ଅପରାଧର ମାତ୍ରା ମଧ୍ୟ ବୃଦ୍ଧି ପାଇଛି।