ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ ବାପୁଙ୍କ ରାୟ ୨୫ ତାରିଖରେ ଜେଲ ଭିତରେ ଘୋଷଣା କରାଯିବ: ଯୋଧପୁର ହାଇକୋର୍ଟ
ରାୟ ପ୍ରକାଶ ପରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା!
ଯୋଧପୁର (ରାଜସ୍ଥାନ): ଦୁଇଟି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥାଇ ଏବେ ଜେଲରେ ବନ୍ଦୀ ଥିବା ଆତ୍ମଘୋଷିତ ‘ଭଗବାନ’ ଆଶାରାମ ବାପୁଙ୍କ ରାୟ ଜେଲ ଭିତରେ ଘୋଷଣା କରାଯିବ ବୋଲି ରାଜସ୍ଥାନର ଯୋଧପୁର ହାଇକୋର୍ଟ ଆଜି ନିଷ୍ପତ୍ତି ନେଇଛନ୍ତି। ରାୟ ପ୍ରକାଶ ପରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ଦୃଷ୍ଟିରୁ ଯୋଧପୁର ହାଇକୋର୍ଟ ଏପ୍ରକାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ପୁଲିସ ପ୍ରଶାସନ ପକ୍ଷରୁ ଏସଂକ୍ରାନ୍ତରେ ଯୋଧପୁର ହାଇକୋର୍ଟରେ ଏକ ଯାଚିକା ଆଗତ କରାଯାଇଥିଲା। ଆଗତ ଯାଚିକାରେ ରାଜସ୍ଥାନ ପୁଲିସ ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ ନିକଟରେ ଅତ୍ୟତମ ଦୁଷ୍କର୍ମକାରୀ ଆତ୍ମଘୋଷିତ ‘ଭଗବାନ’ ଗୁରମିତ୍ ରାମ ରହିମ୍ ସିଂହଙ୍କ ରାୟ ପ୍ରକାଶ ପରେ ପଞ୍ଚକୁଲା ସମେତ ପଞ୍ଜାବ ଓ ହରିୟାଣାରେ ଯେପରି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା, ଏବେ ଆଶାରାମଙ୍କ ରାୟ ପ୍ରକାଶ କାଳରେ ସେପ୍ରକାର ପରିସ୍ଥିତି ସୃଷ୍ଟି ହେବାର ବହୁ ଆଶଙ୍କା ଓ ସମ୍ଭାବନା ରହିଛି। ଏପରିସ୍ଥିତରେ ଏହି ଯାଚିକାର ବିଚାର କରି, ‘ଦୁଷ୍କର୍ମ ଅଭିଯୁକ୍ତ ଆଶାରାମଙ୍କ ରାୟ ଜେଲ ଭିତରେ ଆସନ୍ତା ଅପ୍ରେଲ ୨୫ ବୁଧବାର ଦିନ ଘୋଷଣା କରିବା ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି’, ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅତିରିକ୍ତ ଆଡଭୋକେଟ ଜେନେରାଲ ଶିବ କୁମାର ଭୈଶ୍ୟ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦୁଇଟି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥାଇ ଏବେ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି, ଆତ୍ମଘୋଷିତ ‘ଭଗବାନ’ ଆଶାରାମ ବାପୁ। ଏଥିରୁ ଗୋଟିଏ ଦୁଷ୍କର୍ମ ମାମଲାର ଶୁଣାଣି ଯୋଧପୁର ଅନୁସୂଚିତ ଜାତି ଓ ଜନଜାତି କୋର୍ଟରେ ଗତ ୭ ତାରିଖରେ ଶେଷ ହେବାପରେ ରାୟ ପ୍ରକାଶ ପାଇଁ ବିଚାରପତି ୨୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।