ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ଘୋଷଣା କରିଥିବା ବିମୁଦ୍ରୀକରଣକୁ ବିରୋଧ କରି ଦାଖଲ ହୋଇଥିବା ୫୮ ମାମଲାର ଏକତ୍ର ଶୁଣାଣି କରିଥିବା ପାଞ୍ଚ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ ୨୦୨୩ ଜାନୁଆରି ୨ରେ ରାୟ ପ୍ରକାଶ କରିବେ। ଖଣ୍ଡପୀଠର ସଦସ୍ୟ ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର ଜାନୁଆରି ୪ରେ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ତା’ପୂର୍ବରୁ ରାୟ ପ୍ରକାଶ କରିବାକୁ ପଡ଼ିବ। ଖଣ୍ଡପୀଠର ଅନ୍ୟ ଚାରି ବିଚାରପତି ହେଉଛନ୍ତି ଜଷ୍ଟିସ୍ ବି ଆର୍ ଗଭାଇ, ଏ ଏସ୍ ବୋପନ୍ନା, ଭି ରାମସୁବ୍ରମଣ୍ୟନ ଏବଂ ବିଭି ନାଗରତ୍ନା। ଜଷ୍ଟିସକ୍ ଗଭାଇ ଏବଂ ଜଷ୍ଟିସ୍ ନାଗତ୍ନା ଯଥାକ୍ରମେ ୨୦୨୫ ଓ ୨୦୨୭ରେ ସୁପ୍ରିମ୍କୋର୍ଟର ପ୍ରଧାନମନ୍ତ୍ରୀ ବିଚାରପତି ହେବେ।
ବିମୁଦ୍ରୀକରଣ ମାମଲାକୁ ନେଇ ନଭେମ୍ବର ୨୪ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ବିତର୍କ ଚାଲିଥିଲା। ଏହାପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଶୁଣାଣିର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର କହୁଥିଲେ ଏବଂ ମାମଲାଗୁଡ଼ିକୁ ଖାରଜ କରିବା ପାଇଁ ଦାବି କରିଥିଲେ। ଏକ ଅର୍ଥନୈତିକ ନୀତିର ବିଚାର ବିଭାଗୀୟ ସମୀକ୍ଷାର କୌଣସି ଲାଭ ନାହିଁ। କୋର୍ଟ ଚାହିଲେ ବି କୌଣସି ସମାଧାନ ପ୍ରଦାନ କରିପାରିବେ ନାହିଁ ବୋଲି ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି କୋର୍ଟରେ କହିଥିଲେ। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଯେ ଆମେ ଲକ୍ଷ୍ମଣରେଖା ବିଷୟରେ ଭଲ ଭାବେ ଜାଣିଛୁ। ତଥାପି ଏହି ପ୍ରକ୍ରିୟାର ସମୀକ୍ଷା ହେବା ଜରୁରୀ। ଭବିଷ୍ୟତରେ ଘୋଷଣା ହେବାକୁ ଥିବା ବିମୁଦ୍ରୀକରଣ ପାଇଁ ଗାଇଡ୍ଲାଇନ୍ ତିଆରି କରିବାକୁ କୋର୍ଟ ଚାହୁଥିଲେ। ସେହି ପ୍ରସ୍ତାବକୁ ଆଟର୍ଣ୍ଣି ଜେନେରାଲ ବିରୋଧ କରିଥିଲେ। ଏକ ମାମଲାର ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପି ଚିଦମ୍ବରମ ବିମୁଦ୍ରୀକରଣକୁ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ବୋଲି କହିଥିଲେ ଏବଂ ଏହା ଦ୍ବାରା ସାଧାରଣ ଜନତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା ବୋଲି କହିଥିଲେ।