ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟଙ୍କ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଲାଗି ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିଷ୍ପତ୍ତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ନେଇ ସୂଚନା ଦେଇଥିଲେ। ଏଥିପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହା ଏକ ପ୍ରଶଂସନୀୟ ଚିନ୍ତାଧାରା, ଯାହା ବହୁଲୋକ ବିଶେଷତଃ ଯୁବବର୍ଗଙ୍କ ଉପକାରରେ ଆସିବ ବୋଲି ମୋଦୀ ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ଲେଖିବା ସହ ପ୍ରଧାନବିଚାରପତିଙ୍କ ପୂର୍ବୋକ୍ତ ଭାଷଣର କ୍ଲିପ୍ ସେୟାର କରିଛନ୍ତି। ମୁମ୍ବାଇଠାରେ ଅନୁଷ୍ଠିତ ମହାରାଷ୍ଟ୍ର ଓ ଗୋଆ ବାର୍ କାଉନ୍ସିଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନବିଚାରପତି ଉକ୍ତ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପୂର୍ବରୁ କୋର୍ଟ ରାୟଗୁଡ଼ିକ ସାଧାରଣ ଲୋକଙ୍କ ପାଖରେ ଯେପରି ପହଞ୍ଚିପାରିବ ତା’ର ବ୍ୟବସ୍ଥା କରିବା ଉପରେ ଜୋର ଦେଇଥିଲେ।
ସମ୍ବିଧାନର ମୂଳ ସଂରଚନା ଧ୍ରୁବ ତାରା ଭଳି ମାର୍ଗଦର୍ଶନ କରୁଛି
ମୁମ୍ବାଇ: ସମ୍ବିଧାନର ମୂଳ ସଂରଚନା ଯାହାକି ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକାକୁ ପୃଥକ କରିଛି ତାହା ଆମ ପାଇଁ ଧ୍ରୁବ ତାରା ଭଳି ମାର୍ଗ ଦର୍ଶନ କରୁଛି ବୋଲି ପ୍ରଧାନବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ‘୧୯୭୩, କେଶବାନନ୍ଦ ଭାରତୀ ମାମଲା’ରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ସମାଲୋଚନା କରି ସଂସଦ ସମ୍ବିଧାନ ସଂଶୋଧନ ପାଇଁ ଅନ୍ୟ କୌଣସି ସଂସ୍ଥା ଉପରେ ନିର୍ଭର କରିପାରିବ ନାହିଁ ବୋଲି କହିଥିଲେ। ପ୍ରଧାନ ବିଚାରପତି ଏ ନେଇ ଭିନ୍ନମତ ରଖିଛନ୍ତି। ଗତକାଲି ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଭାରତୀୟ ସମ୍ବିଧାନର ମୂଳ ସଂରଚନା ହିଁ ଆମକୁ ଧ୍ରୁବ ତାରା ଭଳି ମାର୍ଗ ଦର୍ଶନ କରୁଛି। ସମ୍ବିଧାନ ସରକାରଙ୍କୁ ସାମାଜିକ ଆବଶ୍ୟକତାଗୁଡ଼ିକ ପୂରଣ କରିବା ପାଇଁ , ଆଇନଗତ ଏବଂ ଆର୍ଥିକ ନୀତିକୁ ବଦଳାଇବା ଓ ବିକଶିତ କରିବା ପାଇଁ ଅନୁମତି ଦେଇଥାଏ। ସମ୍ବିଧାନର ମୂଳ ସଂରଚନା ଓ ସିଦ୍ଧାନ୍ତ ସର୍ବୋପରି ଆଇନର ଶାସନ, କ୍ଷମତା ବଣ୍ଟନ, ନ୍ୟାୟିକ ସମୀକ୍ଷା, ଧର୍ମନିରପେକ୍ଷତା, ସ୍ବାଧୀନତା, ବ୍ୟକ୍ତିର ଗରିମା , ରାଷ୍ଟ୍ରର ଏକତା ଓ ଅଖଣ୍ଡତା ଉପରେ ଆଧାରିତ ବୋଲି ପ୍ରଧାନବିଚାରପତି କହିଛନ୍ତି।