ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୂର’ର ସଫଳତା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି।  ରାଜସ୍ଥାନର ବିକାନେର୍‌ରେ ଏକ କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ସମଗ୍ର ବିଶ୍ବ ଜାଣିପାରିଛି ଯେ  ଯେତେବେଳେ ସିନ୍ଦୂର ବାରୁଦରେ ପରିଣତ ହୁଏ ତା’ହେଲେ ପରିଣତି କ’ଣ ହୁଏ।  ମୋଦୀ ହିନ୍ଦୀ‌‌ରେ ଏକ ଟିପ୍ପଣୀ ଦେଇ କହିଥିଲେ, ‘ଦୁନିୟା ଭର୍‌ ନେ ଦେଖ୍‌ ଲିୟା ଜବ୍‌ ସିନ୍ଦୂର ବାରୁଦ ବନ୍‌ ଜାତା ହୈ ତବ୍‌ ନତିଜା କ୍ୟା ହୋତା ହୈ’। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ନେଇ ମୋଦୀ କହିଛନ୍ତି,  ଦେଶର ଭଉଣୀମାନଙ୍କୁ ଧର୍ମ ପଚାରି ଆତଙ୍କବାଦୀମାନେ ସେମାନଙ୍କ ସିନ୍ଦୂର ପୋଛିଦେଲେ।  ଏହି ଘଟଣା ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଗଭୀର ଯନ୍ତ୍ରଣା ଦେଇଥିଲା।   ପ୍ରତି ନାଗରିକ ଏହି ଆକ୍ରମଣର ଜବାବ ଦେବାପାଇଁ ଏକଜୁଟ୍‌ ହେଲେ ଏବଂ ମାତ୍ର ୨୨ ମିନିଟ୍‌ରେ ଆତଙ୍କବାଦୀଙ୍କୁ ଉଚିତ ଜବାବ ମିଳିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ଶରୀରରେ କେବଳ ରକ୍ତ ନୁହେଁ, ଗରମ ସନ୍ଦୂର ମଧ୍ୟ ପ୍ରବାହିତ ହେଉଛି। ପାକିସ୍ତାନ ଏହା ଜାଣି ରଖିବା ଉଚିତ ଯେ ମୋର ମନ ସ୍ଥିର, କିନ୍ତୁ ରକ୍ତ ଗରମ।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ୩ ସେନାବାହିନୀକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଥିଲା। ଏହା ଫଳରେ ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ଏକାଠି ମିଶି ପାକିସ୍ତାନକୁ କଡ଼ା ଜବା ଦେଇଛନ୍ତି। ପାକିସ୍ତାନରେ ୯ଟି ଆତଙ୍କୀ ଆଡ଼ା  ମାଟିରେ ମିଶାଇ ଦିଆଯାଇଛି। ଶତ୍ରୁର ଏମିତି କ୍ଷତି ହୋଇଛି ଯାହା ସେମାନେ କେବେ ଭୁଲିପାରିବେ ନାହିଁ। ମୋଦୀ କହିଛନ୍ତି,‌ ବିମାନ ଆକ୍ରମଣ ପରେ ମୁଁ ଚୁରୁ ଆସିଥିଲି ଏବଂ ଦେଶର ଶତ୍ରୁଙ୍କୁ ଶିକ୍ଷା ଦେବାପାଇଁ ସଂକଳ୍ପ ନେଇଥିଲି। ଆଜି ରାଜସ୍ଥାନ ମାଟିରୁ ମୁଁ ଦେଶବାସୀଙ୍କୁ ଏହା ଜଣାଇବାକୁ ଚାହୁଛି ଯେ ଯେଉଁମାନେ ସିନ୍ଦୂର ପୋଛିଥିଲେ ସେମାନେ ଧୂଳିରେ ପରିଣତ ହୋଇଯାଇଛନ୍ତି। ସିନ୍ଧୁ ଜଳଚୁକ୍ତିକୁ ନେଇ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଭାରତର ହକ୍‌ରେ ଥିବା ପାଣି ପାକିସ୍ତାନକୁ ମିଳିବ ନାହିଁ ଏବଂ ଏହି ନିଷ୍ପତ୍ତିକୁ କୌଣସି ଶକ୍ତି ବଦଳାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।