ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଖବର ପଢ଼ିବେ ‘ଭର୍ଚୁଆଲ୍‌ ଆଙ୍କର୍‌’

ଚୀନ୍‌ରେ ପ୍ରଥମ ପ୍ରୟୋଗ

ବେଜିଂ: ଚୀନ୍‌ ବିଶ୍ବର ପ୍ରଥମ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ନ୍ୟୁଜ୍ ଆଙ୍କର୍’ ଉପସ୍ଥାପନ କରିଛି। ଗତକାଲି ଏହି ଭର୍ଚୁଆଲ ନ୍ୟୁଜ୍‌ ରିଡର ଟେଲିଭିନରେ ଖବର ପାଠ କରିବା ପରେ ବିଶ୍ବବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚୀନର ସରକାରୀ ନ୍ୟୁଜ୍ ଏଜେନ୍ସି ଜିନୁଆ ସର୍ଚ୍ଚ ଇଞ୍ଜିନ୍ ସୋଗୁ ସହ ମିଳିତ ପ୍ରୟାସରେ ଭର୍ଚୁଆଲ ନ୍ୟୁଜ୍‌ ରିଡର ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ନ୍ୟୁଜ୍ ଆଙ୍କର ଖବର ପଢ଼ିବା ସହ ଏହାର ଉଚ୍ଚାରଣ ମଧ୍ୟ ଠିକ୍‌ ମଣିଷଙ୍କ ଭଳି କରିପାରୁଛି। ରିପୋର୍ଟ ମୁତାବକ ଏହି ନ୍ୟୁଜ୍ ଆଙ୍କର ୨୪ ଘଣ୍ଟା କାମ କରିବା ପାଇଁ ସକ୍ଷମ। ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କର ବ୍ରେକିଙ୍ଗ୍ ନ୍ୟୁଜ୍ ଆସିବା ମାତ୍ରେ ଏହାକୁ ଗ୍ରହଣ କରି ପଢିବାର କ୍ଷମତା ରହିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)କୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଏହି ଏନିମେସନ ବୈଦ୍ୟୁତିକ ଗଣମାଧ୍ୟମ ଜଗତରେ ନୂଆ ବିପ୍ଳବ ଆଣିବ ବୋଲି କୁହାଯାଉଛି। ମଣିଷର ସ୍ୱରକୁ ମିଳାଇ ସମ୍ପୁର୍ଣ୍ଣ ଅସଲି ମଣିଷ ଭଳି ଭାବଭଙ୍ଗୀ ଦେଇଥାଏ ଏହି ଏଆଇ ଆଙ୍କର୍‌। ଏହି ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କର୍‌ର ଭାବଭଙ୍ଗୀ ପାଇଁ ମେସିନ୍ ଲର୍ଣ୍ଣିଙ୍ଗ୍ ପ୍ରୋଗ୍ରାମର ବ୍ୟବହାର କରାଯାଇଛି। ଆଙ୍କର୍‌କୁ ଟିଭି ଏବଂ ୱେବ୍ ପେଜ୍ ପାଇଁ କାମ କରୁଥିବା ଦେଖିବାକୁ ମିଳିବ। ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କର କୌଣସି ମନୁଷ୍ୟର ଡିଜିଟାଲ ମଡେଲ ନୁହେଁ କି ରୋବୋଟ୍‌ ନୁହେଁ। ଏହା କେବଳ ଏଆଇ ଆନିମେସନ। ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାଇକଲ୍ ବୁଲରିଜଙ୍କ ମତରେ ଏହି ନ୍ୟୁଜ୍ ଆଙ୍କର୍ ଅସଲି ଭଳି ଲାଗୁଥିଲେ ମଧ୍ୟ ଏଥିରେ କୌଣସି ଆବେଗ ଓ ବିବିଧତା ନଥିବାରୁ ଲୋକେ ଏହାୁଅଧିକ ସମୟ ଦେଖିବାକୁ ପସନ୍ଦ କରିବେ ନାହିଁ। ତେବେ ଗ୍ଲୋବାଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ସିନ୍ଥେସିସରେ ଏହା ଏକ ଯୁଗାନ୍ତକାରୀ ପ୍ରୟାସ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର