ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଗତ ୧୫ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ସେନାର ସହାୟତା ନିଆଯାଇଛି। ସେନାର ଯବାନମାନେ ଯନ୍ତ୍ରପାତି ସହିତ ଘଟଣାସ୍ଥଳରେ ପହଂଚିଛନ୍ତି। ଆବର୍ଜନା ଭିତରୁ ଖନନ ସମୟରେ ଭାଙ୍ଗି ଯାଇଥିବା ଅଗର ମେସିନକୁ କାଢ଼ିବା ପାଇଁ ସେମାନେ ଇତିମଧ୍ୟରେ କାମ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ବିକଳ୍ପ ସ୍ବରୂପ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ବା ଭୂଲମ୍ବ ଖନନ ଆରମ୍ଭ ହୋଇଛି। ଏଭଳି ଖନନ ଯଦି ସୁରୁଖୁରରେ ଚାଲେ, ତାହ‌ାହେଲେ ୪ ଦିନ ମଧ୍ୟରେ ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ପାଖରେ ପହଞ୍ଚିଯିବେ। ଏଥିଲାଗି ୮୦ ମିଟର ଡ୍ରିଲ୍ କରିବାକୁ ପଡ଼ିବ। ଆଜି ରାତି ସୁଦ୍ଧା ପ୍ରାୟ ୨୦ ମିଟର ଗଭୀର ପର୍ଯ୍ୟନ୍ତ ଡ୍ରିଲ୍ କରାଯାଇଛି। ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ଏହା ହେଉଛି ସବୁଠାରୁ ସୁରକ୍ଷିତ ମାର୍ଗ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Advertisment

ଏହାସହିତ ଡ୍ରିଲିଂ ବେଳେ ସୁଡ଼ଙ୍ଗ ଭିତରେ ଭାଙ୍ଗିପଡ଼ିଥିବା ଅଗର ମେସିନକୁ କାଢ଼ିବା ଲାଗି ହାଇଦ୍ରାବାଦରୁ ପ୍ଲାଜମା କଟର ଅଣାଯାଇଛି। ଏହାର ବ୍ୟବହାର କରି ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନର କ୍ଷତିଗ୍ରସ୍ତ ବ୍ଲେଡ୍‌କୁ କଟାଯାଉଛି। ଏସ୍କେପ୍ ପାଇପରୁ ଅଗର ମେସିନ୍ ବାହାର କରିବା ପରେ ଉଦ୍ଧାରକାରୀ ଦଳ ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ମାନୁଆଲ୍ ଡ୍ରିଲିଂ କରିବେ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଅଟା ହସନାଇନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଅଭିଯାନ ପାଇଁ ବହୁତ ସମୟ ଲାଗିପାରେ। ଅନ୍ତର୍ଜାତୀୟ ଟନେଲିଂ ବିଶେଷଜ୍ଞ ଡିକ୍ସ କହିଛନ୍ତି ଯେ ଅଗର ମେସିନ ବାରମ୍ବାର ଭାଙ୍ଗୁଥିବାରୁ ତା'ଉପରେ ଆଉ ଭରସା କରିହେବନି। ପର୍ବତ ପୁଣି ଥରେ ଅଗରକୁ ପ୍ରତିରୋଧ କରିଛି, ତେଣୁ ଆମେ ଆମର ଆଭିମୁଖ୍ୟ ଉପରେ ପୁନର୍ବିଚାର କରୁଛୁ। ଅନ୍ୟପକ୍ଷରେ ଦୁଇଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ସିଲ୍କିୟାରା

ଟନେଲ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆଉ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ପାଗ ମେଘୁଆ ରହିବା ସହ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ନଭେମ୍ବର ୨୯ରୁ ପାଗ ସ୍ୱଚ୍ଛ ରହିବ ବୋଲି ଆଇଏମଡି କହିଛି। ଫସି ରହିଥିବା ଶ୍ରମିକଙ୍କ ଅନେକ ପରିବାର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଧୀରେ ଧୀରେ ଚାଲିଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଶ୍ରମିକମାନେ ନିରାଶ ଓ ଅଧୀର ହେଉଛନ୍ତି। କିଛି ପରିବାର ଘଟଣାସ୍ଥଳ ନିକଟରେ ଡେରା ପକାଇ ବେଳେବେଳେ କର୍ତ୍ତୃପକ୍ଷଙ୍କଠାରୁ ଅପରେସନର ସ୍ଥିତି ସମ୍ପର୍କରେ ସୂଚନା ନେଉଛନ୍ତି। ଉଦ୍ଧାର ନେଇ ଅନିଶ୍ଚିତତା ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଭିଡିଓ ଗେମ୍ ଏବଂ ଲୁଡୋ ଭଳି ବୋର୍ଡ ଗେମ୍ ଖେଳିବା ପାଇଁ ଡିଜିଟାଲ ଉପକରଣ ଦିଆଯାଇଛି। ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ଶ୍ରମିକମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଡ଼ି ରଖିବା ପାଇଁ ଟନେଲରେ ଏକ ଲ୍ୟାଣ୍ଡଲାଇନ୍ ବ୍ୟବସ୍ଥା କରାଯାଇଛି। ବିଏସ୍‌ଏନ୍‌ଏଲ୍ ପକ୍ଷରୁ ଏହି ସୁବିଧା ଖୋଲାଯାଇଥିବା ବେଳେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ହ୍ୟାଣ୍ଡସେଟ୍ ଦିଆଯିବ। ବାହାରୁ ଲାଇଭ୍ ଭିଜୁଆଲ୍ ପାଇବା ପାଇଁ ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ବ୍ୟବହାର କରାଯାଇଛି।