ନୂଆଦିଲ୍ଲୀ:  କରୋନାର ଦ୍ୱିତୀୟ ଲହରେ ଅକାଳରେ ମୃତ୍ୟୁବରଣ କରୁଥିବା ୪ ଆଇନଜୀବୀମାନଙ୍କୁ ଆଜି ସୁପ୍ରିମକୋର୍ଟର ସମସ୍ତ ଓଡ଼ିଆ ଆଇନଜୀବୀମାନଙ୍କ ଦ୍ୱାରା ଭର୍ଚୁଆଲ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମୃତକ ୪ ଜଣ ଓଡ଼ିଆ ଆଇନଜୀବୀ- ସଞ୍ଜୀବ ଦାସ, ମନୋଜ ଦାସ, ସଚିନ ଦାଶ ଓ ମୀନାକ୍ଷୀ ଘୋଷ ଜେନା ସୁପ୍ରିମକୋର୍ଟରେ ଦୀର୍ଘ ଦିନରୁ ଓକିଲାତି କରୁଥିଲେ ଏବଂ ନିକଟରେ କରୋନାରେ ସଂକ୍ରମିତ ହୋଇ ସେମାନେ ଜୀବନ ହରାଇଥିଲେ।

Advertisment

ଭର୍ଚୁଆଲ୍ ମୋଡ୍‌ରେ ଆୟୋଜନ କରାଯାଇଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବରିଷ୍ଠ ଓଡ଼ିଆ ଆଇନଜୀବୀ, ଆଡ୍‌ଭୋକେଟ୍-ଅନ୍‌-ରେକର୍ଡ ତଥା ଆଇନଜୀବୀମାନେ ଯୋଗଦେଇ କରୋନାରେ ମୃତ୍ୟୁବରଣ କରିଥିବାର ଚାରି ଓଡ଼ିଆ ଆଇନଜୀବୀମାନଙ୍କର ସ୍ମୃତି ଚାରଣ କରିବା ସହିତ ସେମାନେ ଯେଉଁ ଦକ୍ଷତାର ଛାପ ଛାଡ଼ି ଚାଲିଯାଇଛନ୍ତି ତାକୁ ସହଜରେ ପୂରଣ କରାଯାଇ ପାରିବ ନାହିଁ ବୋଲି କହିଥିଲେ। ମୃତକ ଓଡ଼ିଆ ଆଇନଜୀବୀମାନଙ୍କ ପରିବାର ସଦସ୍ୟ ତଥା ନିକଟ ସମ୍ବନ୍ଧୀୟ ମଧ୍ୟ ଭର୍ଚୁଆଲ୍ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆରମ୍ଭରେ ମନ୍ତ୍ରପାଠ କରାଯାଇ ଦିବଙ୍ଗତ ଆଇନଜୀବୀମାନଙ୍କର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଇଥିଲା। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପ୍ୟାନେଲ ଓକିଲ ତଥା ଆଡ୍‌ଭୋକେଟ୍ ଅନ୍‌ ରେକର୍ଡ ସୌମ୍ୟଜିତ ପାଇଁ ଦିବଙ୍ଗତ ଚାରି ଓଡ଼ିଆ ଆଇନଜୀବୀଙ୍କ ସମ୍ପର୍କରେ ସକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।