ଭୀଷଣ ରୂପ ଧାରଣ କରି ଗୁରୁବାର ସକାଳ ୮ରୁ ୧୨ ମଧ୍ୟରେ ପୋରବନ୍ଦର ଓ ଦିଉ ମଧ୍ୟରେ ସ୍ଥଳଭାଗକୁ ପଶିବା ସହ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ବାୟୁ!

ଅହମ୍ମଦାବାଦ/ ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଏବେ ଭୀଷଣ ରୂପ ଧାରଣ କରି ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି। ସମୁଦ୍ରିକ ଝଡ଼ ବାୟୁ ଏବେ ମହାରାଷ୍ଟ୍ରର ମୁମ୍ବାଇ ଉପକୂଳ ଠାରୁ ୨୯୦ କିଲୋମିଟର ଦୂରରେ ଥାଇ ପଶ୍ଚିମ- ଦକ୍ଷିଣପଶ୍ଚିମ ଦିଗରେ ସମୁଦ୍ର ମଧ୍ୟରେ ଭୀଷଣ ରୂପ ଧାରଣ କରିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସାମୁଦ୍ରିକ ଝଡ଼ ବାୟୁକୁ ‘କାଟାଗୋରି-୧ ହରିକେନ୍‌’ ରୂପେ ବିବେଚନା କରିଛି। ଏଥିସହ ଆଇଏମ୍‌ଡି ପକ୍ଷରୁ ଜାରି ଏକ ଟୁଇଟ୍‌ରେ କୁହାଯାଇଛି ଯେ ବାୟୁ ଏବେ ସମୁଦ୍ର ମଧ୍ୟରେ ତା’ ଗତିପଥରେ ସାମାନ୍ୟ ଦିଗ ପରିବର୍ତ୍ତନ କରି ଉତ୍ତରଦିଗକୁ ଦିଗକୁ ଗତି କରୁଛି। ଏବଂ ଆସନ୍ତା ୧୩ ତାରିଖ (ଗୁରୁବାର) ସକାଳ ୮ଟାରୁ ୧୨ଟା ମଧ୍ୟରେ ଗୁଜୁରାଟ ଉପକୂଳର ପୋରବନ୍ଦର ଓ ଦିଉ ମଧ୍ୟରେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ। ସାମୁଦ୍ରିକ ଝଡ଼ ବାୟୁ ସ୍ଥଳଭାଗ ଅତିକ୍ରମ କଲାବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୭୦ କିଲୋମିଟର ରହିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆଇଏମ୍‌ଡି।

SkyMate Weather


ବାୟୁର ଭୀଷଣତାକୁ ଦୃଷ୍ଟିରେ ରଖି ବାୟୁ ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଗୁଜୁରାଟ ସରକାର ଆଜିଠାରୁ ବନ୍ଦ ରଖିବା ସହ ଆସନ୍ତାକାଲି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତିକ ବିମାନ ବନ୍ଦରରୁ ପୋରବନ୍ଦର, ଦିଉ, କଣ୍ଡଲା, ମୁଣ୍ଡ୍ରା ଓ ଭବନଗର ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନର ଉଡ଼ାଣକୁ ବାତିଲ କରି ଦେଇଛନ୍ତି।


ସେହିପରି ବାୟୁ ପ୍ରଭାବରେ ଆରବ ସାଗର ଉପକୂଳରେ ୧୦ରୁ ୧୫ ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଥିବାରୁ କୋଙ୍କଣ ସମେତ ପାଲଘର, ଥାନେ, ମୁମ୍ବାଇ, ରାୟଗଡ଼, ରତ୍ନଗିରି ଓ ସିନ୍ଧହୁଦୁର୍ଗ ସମୁଦ୍ର ଉପକୂଳକୁ ସର୍ବ ସାଧାରଣଙ୍କ ପାଇଁ ବନ୍ଦ କରି ଦେଇଛନ୍ତି।


ବାୟୁର ଭୀଷଣତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍‌ର ୫୯ଟି ୟୁନିଟକୁ ନେଇ ବାୟୁ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁତୟନ କରି ସାରିଲେଣି।

ସମ୍ବନ୍ଧିତ ଖବର