ଧାମରା ଠାରୁ ୪୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’; ମଧ୍ୟହ୍ନ ସୁଦ୍ଧା ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ

ନୂଆଦିଲ୍ଲୀ/ଭୁବନେଶ୍ବର: ଘଣ୍ଟାପ୍ରତି ୧୫୫ କିଲୋମିଟର ପବନ ଦଲକା ସହ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଆଜି ମଧ୍ୟହ୍ନ ସୁଦ୍ଧା ସ୍ଥଳଭାଗରେ ପ୍ରବେଶ କରିବ ବୋଲି ଭୁବନେଶ୍ବରସ୍ଥିତ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ଭାରତୀୟ ପାଣିପାଗ ବିଭାଗର ସକାଳ ୬.୪୫ ସୂଚନା ଅନୁସାରେ, ସମ୍ପ୍ରତି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଧାମରାର ପୂର୍ବକୁ ୪୦ କିଲୋମିଟର, ଦିଘାର ଦକ୍ଷିଣକୁ ୯୦ କିଲୋମିଟର ଏବଂ ବାଲେଶ୍ବରର ଦକ୍ଷିଣ-ଦକ୍ଷିଣପୂର୍ବକୁ ୯୦ କିଲୋମିଟର ଦୂର ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।

କିଛି ଘଣ୍ଟା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ, ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଉତ୍ତର-ଉତ୍ତରପଶ୍ଚିମାଭିମୁଖୀ ହୋଇ ଆଜି ମଧ୍ୟହ୍ନ ସୁଦ୍ଧା ଧାମରାର ଉତ୍ତର ଏବଂ ବାଲେଶ୍ବରର ଦକ୍ଷିଣ ପାର୍ଶ୍ବ ଦେଇ ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ। ସେତେବେଳେ ଘଣ୍ଟାପ୍ରତି ‘ୟାସ୍‌’ର ବେଗ ଥିବ ୧୩୦ ରୁ ୧୪୦ କିଲୋମିଟର।

Image Courtesy of ANI

ବାତ୍ୟା ପ୍ରକୋପରେ ଓଡ଼ିଶାର ଭଦ୍ରକ, ଜଗତ୍‌ସିଂହପୁର, କଟକ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ଆଜି ସାମାନ୍ୟରୁ ମଧ୍ୟମ ଓ ଅନ୍ୟ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷିବ।

ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଏହାଛଡ଼ା, ମେଦିନୀପୁର, ବାଙ୍କୁଡ଼ା, ଝରଗ୍ରାମ, ଦକ୍ଷିଣ ୨୪ ପ୍ରଗଣା, କୋଲକାତା, ନଦିଆ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଏହା ବ୍ୟତିରେକେ, ଆଜି ଓ ଆସନ୍ତାକାଲି ଝାଡ଼ଖଣ୍ଡ ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବୃଷ୍ଟିପାତ ଲାଗି ରହିବା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନାରୁ ପ୍ରକାଶ।

ବାତ୍ୟା ସ୍ଥଳଭାଗ ଅଭିମୁଖେ ଆସୁଥିବାରୁ ପଶ୍ଚିମବଙ୍ଗର ଦିଘା ଏବଂ ପୂର୍ବ ମେଦିନୀପୁ‌ରରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି।

ସମ୍ବନ୍ଧିତ ଖବର