ନିରବୀ ଗଲା ଶାଣିତ ସ୍ବର : ପରଲୋକରେ ଖ୍ୟାତନାମା ଆଇନଜୀବୀ ତଥା ପୂର୍ବ ଆଇନମନ୍ତ୍ରୀ ରାମ ଜେଠମଲାନୀ

ଚର୍ଚ୍ଚିତ ମାମଲା: ଇନ୍ଦିରା, ରାଜୀବଙ୍କ ହତ୍ୟାକାରୀଙ୍କଠାରୁ ଅଫଜଲ ଗୁରୁ ପର୍ଯ୍ୟନ୍ତ

ନୂଆଦିଲ୍ଳୀ : ଦେଶର ଖ୍ୟାତନାମା ଆଇନଜୀବୀ ତଥା ପୂର୍ବ ଆଇନମନ୍ତ୍ରୀ ରାମ ଜେଠମଲାନୀ ତାଙ୍କର ନିର୍ଭିକ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିଲେ । ୧୯୫୯ ମସିହାରେ କେ ଏମ ନାନାବତୀ ବନାମ ମହାରାଷ୍ଟ୍ର ସରକାର ମାମଲାରେ ସେ ଚର୍ଚ୍ଚାକୁ ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଅଭିଯୁକ୍ତ ସତୱନ୍ତ ସିଂହ ଏବଂ କେହର ସିଂହଙ୍କ ପାଇଁ ଯେତେବେଳେ ଦେଶର କୌଣସି ‌ଓକିଲ ମାମଲା ଲଢ଼ିବା ପାଇଁ ଆଗଭର ହେଲେ ନାହିଁ ସେତେବେଳେ ଜେଠମଲାନୀ ସେମାନଙ୍କ ଓକିଲ ଭାବେ ମାମଲା ପରିଚାଳନା କରିଥିଲେ। ସେହିଭଳି ୨୦୧୧ରେ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ହତ୍ୟାକାରୀଙ୍କ ସପକ୍ଷରେ ମାଡ୍ରାସ ହାଇକୋର୍ଟରେ ମାମଲା ପରିଚାଳନା କରିଥିଲେ। ସୋହରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହଙ୍କ ସପକ୍ଷରେ ସେ ମାମଲା ପରିଚାଳନା କରିଥିଲେ। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଆୟ ବହିର୍ଭୁତ ମାମଲା ମଧ୍ୟ ପରିଚାଳନା କରିଥିଲେ। ସେହିଭଳି କାନିମୋଝିଙ୍କର ୨ଜି ସ୍ପେକ୍ଟ୍ରମ ଦୁର୍ନୀତି ମାମଲା ମଧ୍ୟ ସେ ପରିଚାଳନା କରିଥିଲେ। ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ବେଆଇନ ଖଣି ଖନନ ମାମଲା, ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ୧୯୯୨ ମସିହା ଷ୍ଟକ ମାର୍କେଟ ସ୍କାମ୍‌ ମାମଲାରେ ହର୍ଷଦ ମେହେଟ୍ଟା ଏବଂ କେତନ ପାରେଖଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ସେହିଭଳି ୨୦୦୧ ସଂସଦ ଆକ୍ରମଣ ମାମଲାର ଅଭିଯୁକ୍ତ ଅଫଜଲ ଗୁରୁଙ୍କ ମାମଲା ମଧ୍ୟ ଜେଠମଲାନୀ ଲଢ଼ିଥିଲେ। ଅଫଜଲଙ୍କ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ସେ ଯୁକ୍ତି ବାଢ଼ିଥିଲେ। ଜେସିକା ଲାଲ ହତ୍ୟା ମାମଲାରେ ସେ ଅଭିଯୁକ୍ତ ମନୁ ଶର୍ମାଙ୍କ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୩ରେ ସେ ଆଶାରାମ ବାପୁଙ୍କ ବିରୋଧରେ ହୋଇଥିବା ବଳାତ୍କାର ମାମଲା ବି ଲଢ଼ିଥିଲେ। ଏତଦବ୍ୟତୀତ ସେ ଆହୁରି ଅନେକ ଚର୍ଚ୍ଚିତ ମାମଲାରେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି।

୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ଜେଠମଲାନି ସିନ୍ଧ ପ୍ରଦେଶର ଶିଖରପୁର ସହରରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଦେଶ ବିଭାଜନ ପୂର୍ବରୁ ସେ ଭାରତ ପଳାଇ ଆସିଥିଲେ। ତାଙ୍କର ପୂରାନାମ ହେଉଛି ରାମ ବୁଲ୍‌ଚାନ୍ଦ ଜେଠମଲାନୀ । ସୁପ୍ରିମ୍‌ କୋର୍ଟ, ବିଭିନ୍ନ ହାଇକୋର୍ଟ ସମେତ ଟ୍ରାଏଲ୍‌ କୋର୍ଟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିଛନ୍ତି। କୋର୍ଟ ଭିତରେ ତାଙ୍କର ବଳିଷ୍ଠ ଯୁକ୍ତି ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ୨୦୧୦ ମସିହାରେ ସେ ସୁପ୍ରିମ କୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ସେ ଜଣେ ଘୋର ବିରୋଧୀ ଥିଲେ।

୧୮ ବର୍ଷରେ ଆଇନଜୀବୀ

୧୮ ବର୍ଷରେ ଆଇନଜୀବୀ ହେବାର ସୌଭାଗ୍ୟ ଜେଠମଲାନୀଙ୍କ ଭାଗ୍ୟରେ ସମ୍ଭବ ହୋଇଛି। ସେ ସ୍କୁଲରେ ଡବଲ ପ୍ରମୋସନ ପାଇଥିଲେ। ଏଥିଯୋଗୁଁ ୧୩ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ତାଙ୍କୁ ଯେତେବେଳେ ୧୭ ବର୍ଷ ସେ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଥିଲେ। ସେହି ସମୟରେ ଜଣକୁ ୨୧ ବର୍ଷ ନହେଲେ ଜଣେ ଆଇନଜୀବୀ ହୋଇପାରୁ ନଥିଲେ। କିନ୍ତୁ ଏକ ସ୍ବତନ୍ତ୍ର ସଂକଳ୍ପ ବଳରେ ସେ ୧୮ ବର୍ଷରେ ଆଇନଜୀବୀ ହୋଇପାରିଥିଲେ ବୋଲି ପୂର୍ବରୁ ୨୦୦୨ ମସିହାରେ ଜେଠମଲାନୀ ଦେଇଥିବା ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ।

ଦାମୀ ଓକିଲ ଥିଲେ ଜେଠମଲାନୀ

ନୂଆଦିଲ୍ଲୀ : ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଲଢ଼ି ରାମ ଜେଠମଲାନୀ ଯେଭଳି ଚର୍ଚ୍ଚାକୁ ଆସିଥିଲେ ସେହିଭଳି ଦେଶର ଜଣେ ଦାମୀ ଓକିଲଭାବେ ମଧ୍ୟ ସେ ପରିଚିତି ହାସଲ କରିଥିଲେ। ଦୀର୍ଘ ୭୦ ବର୍ଷ ଧରି ସେ ଓକିଲାତି କରିଥିଲେ। ତାଙ୍କୁ ଦେଶର ସବୁଠୁ ଦାମୀ ଓ ମହଙ୍ଗା ଓକିଲ ମଧ୍ୟ କୁହାଯାଇଥାଏ। କୌଣସି ମାମଲାର ଗୋଟିଏ ଶୁଣାଣି ପାଇଁ ସେ ଅତିକମ୍‌ରେ ୨୫ ଲକ୍ଷ ଟଙ୍କା ଦାବି କରିଥାନ୍ତି। ଜେଠମଲାନୀ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ସରକାରୀ ତଥ୍ୟ ମୁତାବକ ତାଙ୍କ ନିକଟରେ ପ୍ରାୟ ୩୦ କୋଟି ଟଙ୍କାର ସମ୍ପତ୍ତି ଥିଲା। ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟ୍‌ର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର