ବର୍ଷୀୟାନ୍‌ ଆର୍‌ଏସ୍‌ଏସ୍‌ ପ୍ରଚାରକ ପି ପରମେଶ୍ୱରନ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅନ୍ୟତମ ବରିଷ୍ଠ ପ୍ରଚାରକ ଏବଂ ତତ୍‌କାଳୀନ ଭାରତୀୟ ଜନସଂଘର ନେତା ପି ପରମେଶ୍ୱରନ୍‌ ରବିବାର ପ୍ରତ୍ୟୁଷରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିବା କଥା ସଂଘ ପରିବାର କହିଛି।

କେରଳର ପଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ଓଟ୍ଟାପ୍ପଲମଠାରେ ଆୟୁର୍ବେଦୀୟ ଚିକିତ୍ସାଧୀନ ଥିବା ଅବସ୍ଥାରେ ରାତି ୧୨: ୧୦ରେ ଭାରତୀୟ ବିଚାର କେନ୍ଦ୍ରମ୍‌ର ପ୍ରତିଷ୍ଠାତା ନିର୍ଦେଶକ ପି ପରମେଶ୍ୱରନ୍‌ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଭାରତୀୟ ଜନସଂଘ ଅମଳରେ ଦୀନଦୟାଲ୍‌ ଉପଧ୍ୟାୟ, ଅଟଳବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହ କାମ କରିଥିବା ପରମେଶ୍ୱରନ୍‌ଙ୍କୁ ୨୦୧୮ରେ ପଦ୍ମବିଭୂଷଣ ଏବଂ ୨୦୦୪ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।

Image Source: India TV News

ସଂଘ ପରିବାର ଏବଂ ଭାରତୀୟ ଜନତା ପାର୍ଟି ନେତାମାନେ ଶ୍ରଦ୍ଧାରେ ‘ପରମେଶ୍ୱରଜି’ ବୋଲି ସମ୍ବୋଧନ କରୁଥିବା ପି ପରମେଶ୍ୱରନ୍‌ ଥିଲେ ଜଣେ ଲେଖକ, କବି, ଗବେଷକ ଏବଂ ସମ୍ମାନସ୍ପଦ ଆର୍‌ଏସ୍‌ଏସ୍‌ ଆଦର୍ଶବାଦୀ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ‘ଗୁରୁ’ ବୋଲି ସମ୍ବୋଧନ କରନ୍ତି। ୧୯୬୭ ରୁ ୧୯୭୧ ଯାଏଁ ଭାରତୀୟ ଜନସଂଘର ସଚିବ ରହିବା ପରେ ସେ ୧୯୭୧ ରୁ ୧୯୭୭ଯାଏଁ ଏହାର ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ୧୯୭୭ ରୁ ୧୯୮୨ ଯାଏଁ ନୂଆଦିଲ୍ଲୀସ୍ଥିତ ଦୀନଦୟାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ସେ ନିର୍ଦେଶକ ଥିଲେ।

୧୯୨୭ ମସିହାରେ ଅଲପ୍ପୁଝା ଜିଲ୍ଲାର ମୁହମ୍ମା ଠାରେ ଜନ୍ମିତ ପରମେଶ୍ୱରନ୍‌ ଛାତ୍ରାବସ୍ଥାରେ ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଥିଲେ।

ରବିବାର ସକାଳେ ତାଙ୍କ ମରଶରୀର କୋଚିସ୍ଥିତ ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟକୁ ଅଣାଯାଇ ଜନତାଙ୍କ ଶେଷ ସମ୍ମାନ ପ୍ରଦର୍ଶନ ଲାଗି ରଖାଯାଇଛି। ସନ୍ଧ୍ୟା ବେଳେ ମୁହମ୍ମା ଠାରେ ତାଙ୍କର ଅନ୍ତିମ ସତ୍କାର କରାଯିବ।

ସମ୍ବନ୍ଧିତ ଖବର