ଚେନ୍ନାଇ : କିମ୍ବଦନ୍ତୀ ଗାୟିକା ବାଣୀ ଜୟରାମଙ୍କର ତାଙ୍କ ଚେନ୍ନାଇ-ସ୍ଥିତ ବାସଭବନରେ ଶନିବାର ଦିନ ପରଲୋକ ହୋଇଯାଇଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ତାଙ୍କର ବିୟୋଗ ଦେଶ ସାରା ସଂଗୀତପ୍ରେମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

Advertisment

ଜାନୁଆରି ୨୫ରେ ବାଣୀଙ୍କ ନାମ ପଦ୍ମଭୂଷଣ ଲାଗି ଘୋଷଣା କରାଯାଇଥିବା ବେଳେ ଶନିବାର (ଫେବ୍ରୁଆରି ୪ରେ) ଚେନ୍ନାଇର ହାଡୋଜ୍ ରୋଡ୍‌, ନୁଙ୍ଗମ୍‌ବାକମ୍‌ସ୍ଥିତ ତାଙ୍କ ବାସଭବନରେ ହିଁ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ରିପୋର୍ଟ ଅନୁସାରେ ତାଙ୍କ କପାଳରେ ଆଘାତ ଲାଗିଥିଲା।

ଶନିବାର ସଂଧ୍ୟାରେ ଫରେନ୍ସିକ୍ ଟିମ୍ ତାଙ୍କ ବାସଭବନରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି।

ଭାରତର ଖ୍ୟାତନାମା ସ୍ବରକାର ଓ ଗାୟିକାଙ୍କ ମଧ୍ୟରୁ ବାଣୀ ଜୟରାମ ଅନ୍ୟତମ ଥିଲେ। ସେ ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗଳା, ଭୋଜପୁରୀ, ଟୁଲୁ ଓ ଓଡ଼ିଆ ଭାଷାରେ ଅସଂଖ୍ୟ ଗୀତ ଗାଇଛନ୍ତି। ଦେଶର ବହୁସ୍ଥାନରେ ଏବଂ ବିଦେଶରେ ମଧ୍ୟ ଗୀତ ଗାଇଛନ୍ତି। ତିନିଥର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବରେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ତାମିଲନାଡ଼ୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ ଓ ଓଡ଼ିଶାରୁ ସେ ରାଜ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି।

ବାଣୀ ଜୟରାମ ଜଣେ ପେସାଦାର ଗାୟିକା ଭାବରେ ନିକଟରେ ତାଙ୍କ କ୍ୟାରିୟରର ୫୦ ବର୍ଷ ପୂରଣ କରିଛନ୍ତି ଏବଂ ମୋଟ ୧୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି। ଏମ୍‌ଏସ୍ ବିଶ୍ବନାଥନ୍ ଇଲାୟାରାଜା, ଆର୍‌ଡି ବର୍ମନ, କେଭି ମହାଦେବନ, ଓପି ନାୟାର ଓ ମଦନମୋହନଙ୍କ ପରି କିମ୍ବଦନ୍ତୀ ସଂଗୀତ ନିର୍ଦ୍ଦେଶକମାନଙ୍କ ସହ ସେ କାମ କରିଛନ୍ତି।