ପୁରୀ ରଥଯାତ୍ରା ନିଷେଧାଦେଶର ପୁନର୍ବିଚାର କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କଲା ବିଶ୍ବ ହିନ୍ଦୁ ପରିଷଦ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ପୁରୀ ରଥଯାତ୍ରା ଉତ୍ସବକୁ ସମ୍ପୂର୍ଣ୍ଣ ନିଷେଧ କରି ଗତ ସପ୍ତାହରେ ଦେଇଥିବା ଆଦେଶର ପୁନର୍ବିଚାର କରାଯାଉ ବୋଲି ବିଶ୍ବ ହିନ୍ଦୁ ପରିଷଦ୍ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କରିଛି।

ରବିବାର ଦିନ ବିଶ୍ବ ହିନ୍ଦୁ ପରିଷଦ୍‌ର ସାଧାରଣ ସଚିବ ମିଳିନ୍ଦ ପରାଣ୍ଡେ କହିଛନ୍ତି ଯେ, ପୁରୀରେ ଶହ ଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପରିଚାଳିତ ହୋଇ ଆସିଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ବାର୍ଷିକ ରଥଯାତ୍ରା ଏ ବର୍ଷ ମଧ୍ୟ ହେବା ଉଚିତ। ଜୁନ୍ ୨୩ ତାରିଖରେ ଏ ବର୍ଷ ରଥଯାତ୍ରା ପଡୁଛି।

ମାମଲା ଦାଏର କରି ବିଶ୍ବ ହିନ୍ଦୁ ପରିଷଦ୍ ପ୍ରସ୍ତାବ ଦେଇଛି ଯେ, ସାଙ୍କେତିକ ଭାବେ ରଥ ହାତୀମାନଙ୍କ ଦ୍ବାରା, ବୈଷୟିକ ସହାୟତା ଦ୍ବାରା କିଂବା ଭଲ ଭାବେ ନମୁନା ପରୀକ୍ଷା କରାଯାଇ କୋଭିଡ୍-୧୯ ନେଗେଟିଭ୍ ବାହାରିଥିବା ସମ୍ପୂର୍ଣ୍ଣ ସୁସ୍ଥ ସେବାୟତଙ୍କ ମଧ୍ୟରୁ ଆବଶ୍ୟକସଂଖ୍ୟକ ସେବାୟତଙ୍କୁ ନେଇ ଟଣାଯାଇ ପାରିବ।

ଏକ ବିବୃତିରେ ପରାଣ୍ଡେ କହିଛନ୍ତି, କୋଭିଡ୍-୧୯ ମହାମାରୀ ସଙ୍କଟ ବିରୋଧୀ ସମସ୍ତ ଜନସ୍ବାସ୍ଥ୍ୟ ନିୟମ ସହ ପବିତ୍ର ବଡ଼ଦାଣ୍ଡରେ ରଥଯାତ୍ରା ସମ୍ଭବପର। ଯାତ୍ରା ବାର୍ଷିକୀ ବଜାୟ ରଖିବାକୁ ଉପାୟ କରାଯିବା ଆବଶ୍ୟକ। ଆଜିର ପରିସ୍ଥିତିରେ ଯାତ୍ରାରେ ଲକ୍ଷ ଲକ୍ଷ ଜନସମାଗମ ହେବା ଆଶା କରାଯାଉନାହିଁ।

Image Courtesy of The Indian Express

ତେଣୁ, ସୁପ୍ରିମ୍ କୋର୍ଟ ତାଙ୍କର ନିଷ୍ପତ୍ତିର ସମୀକ୍ଷା କରିବାକୁ ସେ ନିବେଦନ କରିଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗୁରୁବାର ଦିନ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବ‌ୋବ୍‌ଡେ ରାୟ ଶୁଣାଇ କହିଥିଲେ, କୋଭିଡ୍-୧୯ ସଂକ୍ରମଣ ତେଜୁଥିବା ବେଳେ ଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ବି ଶୀର୍ଷ ଅଦାଲତଙ୍କୁ କ୍ଷମା କରିବେ ନାହିଁ।

ଶୀର୍ଷ ଅଦାଲତ କହି‌ଥିଲେ ଯେ, ଏ ବର୍ଷ ଓଡ଼ିଶାର ମନ୍ଦିର ନଗରୀ ଏବଂ  ରାଜ୍ୟର ଅନ୍ୟ‌ କୌଣସି ଅଞ୍ଚଳରେ ରଥଯାତ୍ରା ହେବନାହିଁ।

ବିଶ୍ବ ହିନ୍ଦୁ ପରିଷଦ୍‌ର ସାଧାରଣ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରାଚୀନ ପରମ୍ପରାର ନିରନ୍ତର ପରିଚାଳନା ବିଷୟରେ ସୁନିଶ୍ଚିତ ହେବା ପାଇଁ ସମୁଚ୍ଚିତ ପଦକ୍ଷେପ ନେବା ଓଡ଼ିଶା ସରକାରଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ।

ବିଶ୍ବ ହିନ୍ଦୁ ପରିଷଦ୍ ଏମିତି ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛି। ବିଶ୍ବ ହିନ୍ଦୁ ପରିଷଦ୍ ଅଭିଯୋଗ ଉଠାଇଛି ଯେ, ଏ ବାବଦରେ କର୍ତ୍ତବ୍ୟ ତୁଲାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପ୍ରକୃତପକ୍ଷେ, ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଆଗରେ ଓଡ଼ିଶା ସରକାର ଏ ବିଷୟ ଠିକ୍ ଭାବ‌େ ଉପସ୍ଥାପନ କରିପାରିଲେ ନାହିଁ କି, ସମସ୍ତ ତଥ୍ୟ ଅବଗତ କରାଇପାରିଲେ ନାହିଁ।

 

ସମ୍ବନ୍ଧିତ ଖବର